ଆଜିଠୁ ଦିଆଯିବ କରୋନା ଟିକାର ବୁଷ୍ଟର ଡୋଜ୍, ବିନା ପଞ୍ଜିକରଣରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ କରୋନା ଟିକାର ବୁଷ୍ଟର ଡୋଜ୍ । ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରିକସନାରୀ ଡୋଜ୍ ମିଳିପାରିବ । ବିନା ପଞ୍ଜିକରଣରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ । ହେଲେ ବୁଷ୍ଟର ଡୋଜ୍ ପାଇଁ ଦେବାକୁ ପଡିବ ଟଙ୍କା । ଉଭୟ କୋଭିସିଲ୍ଡ୍ ଓ କୋଭାକ୍ସିନ୍ ଟିକା ୨୨୫ ଟଙ୍କାରେ ମିଳିବ । ଏନେଇ ଘୋଷଣା କରିଛନ୍ତି ଉଭୟ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ । ତେବେ କୌଣସି ଘରୋଇ ଟିକାକରଣ କେନ୍ଦ୍ର ବୁଷ୍ଟର ଡୋଜ୍ ଦାମ୍କୁ ଛାଡ଼ି ସର୍ଭିସ୍ ଚାର୍ଜ ୧୫୦ ଟଙ୍କାରୁ ଅଧିକ ନେଇପାରିବେ ନାହିଁ ।
ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ଏବଂ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକାକରଣକୁ ୯ ମାସ ପୂରିଥିବ, ସେମାନେ ଘରୋଇ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ୍ ନେଇପାରିବେ । ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ପ୍ରମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ୍ ନେଇପାରିବେ । ଦେଶରେ ଏପର୍ଯ୍ୟନ୍ତ ୧୮୫ କୋଟି ୬୦ଲକ୍ଷରୁ ଅଧିକ ଡୋଜ୍ ଟିକା ପ୍ରଦାନ କରାଯାଇସାରିଲାଣି।