ଦଣ୍ଡଯାତ୍ରା ପାଇଁ ଦୁଲୁକୁଛି ରୁମାଗଡ ଗାଁ ଦାଣ୍ଡ, ଦେଢ଼ଶହରୁ ଊର୍ଦ୍ଧ୍ଵ ବର୍ଷର ପରମ୍ପରା

ପୋଲସରା : ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା । ଏବେ ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଠି ଦଳ ଦଳ ହୋଇ ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡନାଚ ଦେଖାଉଛନ୍ତି। ଆଗକୁ ଆସୁଛି ମହାବିଷୁବ ସଂକ୍ରାନ୍ତି। ପରମ୍ପରା ଅନୁଯାୟର ଏହି ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ ଅବା ୧୩ ଦିନ ପୂର୍ବରୁ ପ୍ରତିଟି ସ୍ଥାନରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଦେଖିବାକୁ ମିଳେ ।
ଏହି ଅବସରରେ ଦଣ୍ଡଯାତ୍ରାର ପ୍ରାୟ ଦେଢ଼ଶହରୁ ଊର୍ଦ୍ଧ୍ଵ ବର୍ଷର ପରମ୍ପରାକୁ ବଜାୟ ରଖିଛନ୍ତି ଗ୍ରାମବାସୀ । ଆଧ୍ୟାତ୍ମିକ ଚେତନାର ପ୍ରଚାର ପ୍ରସାର ନିମନ୍ତେ ମନ୍ଦିର ଛାଡି ତେର ଦିନିଆ ଯାତ୍ରାରେ ବାହାରିଛନ୍ତି ପୋଲସରା ଅଞ୍ଚଳର ପ୍ରସିଦ୍ଧ ଦେବୀ ରୁମାଗଡ ଗ୍ରାମର ମାଆ ଦଣ୍ଡକାଳୀ । ମାସନ୍ତ ମେରୁ ପର୍ବ ନିମନ୍ତେ ତେର ଦିନିଆ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଯାଇଛି ।
ଗତକାଲିଠାରୁ ମାଆ ଦଣ୍ଡକାଳୀ ନଗର ପରିକ୍ରମାରେ ବାହାରି ୧୩ ଦିନ ଧରି ବିଭିନ୍ନ ମାନସିକ ଧାରୀଙ୍କ ଦାଣ୍ଡରେ ଦଣ୍ଡ ନୃତ୍ୟ ପରିବେଷଣ କରିବେ । ଧୂଳିଦଣ୍ଡ, ପାଣିଦଣ୍ଡ ଭଳି ଷୋହଳ ଦଣ୍ଡ ସାଙ୍ଗକୁ ପୌରାଣିକ ଓ ସାମାଜିକ ନାଟକ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିବେ । ପୋଲସରା ଅଞ୍ଚଳର ମାସନ୍ତ ମେରୁ ପର୍ବ ନିମନ୍ତେ ରାଣୀପଡ଼ାର ମାଆ ଉତ୍ତରାକାଳୀ, ମାଳ ତେନ୍ତୁଳିଆର ପାତାଳ ଭୈରବୀ, ସୋଡକ ଗ୍ରାମରେ ମଧ୍ୟ ମାଆଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି ।
ଦଣ୍ଡୁଆ ମାନେ ପ୍ରତିଦିନ ଅତ୍ୟନ୍ତ ନିଷ୍ଠାର ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ଖେଳିଥାନ୍ତି । ତେବେ ଏହାରି ମଧ୍ୟରେ ଏବେ ଦଣ୍ଡୁଆ ମାନଙ୍କ ଢ଼ୋଲ, ମହୁରୀ ଓ ନାଚଗୀତରେ କମ୍ପି ଉଠୁଛି ସାରା ଅଞ୍ଚଳ । ବହୁ ପୁରାତନ ପରମ୍ପରା ହେଉଛି ଏହି ଦଣ୍ଡ ନାଚ । ଏହି ସମୟରେ ନିଜ ଶରୀରକୁ ପୀଡ଼ା ଦେଇ ମାନସିକଧାରୀ ମାନେ ମୁନିଋଷି ରୂପେ ଜୀବନ ଧାରଣ କରିଥାନ୍ତି । ଅନ୍ୟପଟେ ଏହି ବ୍ରତକୁ ନେଇ ବହୁଜଣଙ୍କର ବିଶ୍ୱାସ ମଧ୍ୟ ରହିଛି ।
ଆହୁରି ପଢନ୍ତୁ: ଅଗ୍ନି ରୂପରେ ପ୍ରକଟ ହେଲେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା