ଛତିଶଗଡ଼ ଦନ୍ତେୱାଡା ଜଙ୍ଗଲରୁ ଆସିଲା ୯ ଜଣ ନକ୍ସଲଙ୍କ ମୃତଦେହ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜଙ୍ଗଲରୁ ୯ ଜଣ ନକ୍ସଲଙ୍କ ମୃତଦେହ ଅଣାଯାଇଛି ।  ମୃତ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି । ଜଣେ ହାର୍ଡକୋର ମାଓବାଦୀ ଅଛି, ଯାହା ନାଁରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ବସ୍ତର ଆଇଜି କହିଛନ୍ତି ମାଓ ସଙ୍ଗଠନରେ ୬୦ ପ୍ରତିଶତ ମହିଳା ମାଓବାଦୀଙ୍କୁ ସାମିଲ କରି ଏମାନଙ୍କୁ ସାମ୍ନାରେ ଲଢ଼ିବାକୁ ଛାଡ଼ୁଛନ୍ତି ମାଓବାଦୀ ।  ଦାନ୍ତେୱାଡ଼ା ଲୋହାଗାଓଁ ଜଙ୍ଗଲରେ ଗତକାଲି ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଘଟଣା ସ୍ଥଳରୁ SLR, ଥ୍ରୀ ନଟ ଥ୍ରୀ ବନ୍ଧୁକ, ବୋର୍ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ, ମାଓବାଦୀଙ୍କ ପୋଷାକ ଜବତ କରିଛି ସୁରକ୍ଷାବାହିନୀ । CRPF ଓ DRG ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ପଶ୍ଚିମ ବସ୍ତର ମାଓ ସଙ୍ଗଠନ ଏକ ବଡ଼ ଧରଣର ମାଓ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲେ ।  ଏ ନେଇ ଗୁଇନ୍ଦା ସୂଚନା ପାଇବା ପରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା ବାହିନୀ ।  ଅପରେସନ ବେଳେ ଏନକାଉଣ୍ଟର ହୋଇଥିଲା।