ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ପ୍ରଭୁ ନାରାୟଣ ଗୋସେଇଁଙ୍କୁ ପୁଷ୍କରିଣୀରୁ ଆଣି ମନ୍ଦିରରେ ସ୍ଥାପନା କରାଯାଏ

ଯାଜପୁର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଠାରେ ଥିବା ଏହି ପୁଷ୍କରିଣୀ ହେଉଛି ମଧୁତୀର୍ଥ । ଏହି ପୋଖରୀରେ ପ୍ରଭୁ ନାରାୟଣ ଗୋସାଇଁ ୩୬୨ଦିନ ଜଳସାୟୀ ହୋଇ ରହିଥାନ୍ତି । ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ପ୍ରଭୁ ନାରାୟଣ ଗୋସେଇଁଙ୍କୁ ପୁଷ୍କରିଣୀରୁ ଆଣି ମନ୍ଦିରରେ ସ୍ଥାପନା କରାଯାଏ । ଅନ୍ୟପଟରେ ସୁସଜିତ ବିମାନରେ ସ୍ଥାନୀୟ ମଠରୁ ପ୍ରଭୁଙ୍କର ଚଳନ୍ତି ବିଗ୍ରହକୁ ଅଣାଯାଇ ପୂଜାର୍ଚନା ଆରମ୍ଭ ହୋଇଥାଏ ।

ପରମ୍ପରା ଅନୁସାରେ ଗଡ଼ମଧୁପୁର ରାଣୀ ଆଜି ସକାଳେ ପହଁଚି ମଧୁତୀର୍ଥ ପୁଷ୍କରିଣୀ ନିକଟରେ ନାରାୟଣ ଗୋସେଇଁଙ୍କୁ ପୂଜାର୍ଚ୍ଚନା କରିବା ପରେ ପୁଷ୍କରିଣୀରୁ ମହାପ୍ରଭୁଙ୍କୁ ପାଣିରେ ଚାପ ଖେଳେଇ କୂଳକୁ ଅଣାଯାଏ । ପରେ ପଇଡ଼ ପାଣି, ଲହୁଣୀରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ମନ୍ଦିରକୁ ବିଜେ କରାଯାଏ । ଏହି ଯାତ୍ରା ୫ଦିନ ଧରି ଚାଲିବାକୁ ଥିବା ବେଳେ ୩ୟ ଦିବସରେ ପ୍ରଭୁ ସନ୍ୟାସୀ ବେଶରେ ପୁଣି ପାଣିକୁ ଯିବେ । ଚଳିତ ବର୍ଷ ପ୍ରଭୁ ନାରାୟଣ ଗୋସେଇଁଙ୍କୁ ପାଣିରୁ ଆଣି ମନ୍ଦିରରେ ସ୍ଥାପନା କରାଯାଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।

କିମ୍ବଦନ୍ତୀ ଅନୁସାରେ ଶହ ଶହ ବର୍ଷ ପୂର୍ବେ କଳାପାହାଡ଼ ଆକ୍ରମଣରୁ ପ୍ରଭୁଙ୍କୁ ବଞ୍ଚାଇବା ପାଇଁ ତାଙ୍କର ଭକ୍ତ ମାନେ ନାରାୟଣ ଗୋସେଇଁଙ୍କୁ ଏହି ପୁଷ୍କରିଣୀରେ ଲୁଚାଇ ରଖିଥିଲେ । ବହୁ ବର୍ଷ ପରେ ତତ୍କାଳୀନ ଗଡ଼ମଧୁପୁର ରାଜାଙ୍କୁ ସ୍ୱପ୍ନାଦେଶ ପରେ ଏହି ପୁଷ୍କରିଣୀରୁ ନାରାୟଣ ଗୋସେଇଁଙ୍କୁ ଉଦ୍ଧାର କରାଯାଇ ପୂଜାର୍ଚନା କରାଯାଇଥିଲା । ସେହି ଦିନଠାରୁ ପୁଷ୍କରିଣୀର ନାମ ମଧୁତୀର୍ଥ ରଖାଯାଇଛି ।

କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଥିବା ବେଳେ ଏହି ସମୟରେ ମହାପ୍ରଭୁଙ୍କ ତିଦିନାତ୍ମକ ଯଜ୍ଞ ସହ ଦଶ ଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାରାୟଣ ଗୋସେଇଁ । ଫଳରେ ଏହି ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ କୁଆଖିଆ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଛି ।

ଆହୁରି ପଢନ୍ତୁ: ଶ୍ରୀକ୍ଷେତ୍ର ପୁରୀର ସାହିଯାତ ପରମ୍ପରା, ୫ମ ଦିବସରେ ମାୟା ରୂପି ରାବଣ ହରିନେଲା ମାତା ସୀତାଙ୍କୁ