ଐତିହାସିକ କୁମୁଡା ପାହାଡ଼ରେ ବିରାଜିତ ବାବା ଧବଳେଶ୍ୱର, ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଟିଟିଲାଗଡ଼: ଟିଟିଲାଗଡ଼ ସହରର ଦକ୍ଷିଣ ଦିଗରେ ରହିଛି ଐତିହାସିକ କୁମୁଡା ପାହାଡ଼ । ଜନଶ୍ରୁତି ଅନୁସାରେ ଏହି କୁମୁଡା ପାହାଡ଼ ବଲାଙ୍ଗୀର ବା ପାଟଣା ରାଜ୍ୟର ଦୁର୍ଗ ଭଳି କାମ କରୁଥିଲା । ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଲାଙ୍ଗୀର ଓ କଳାହାଣ୍ଡି ସୀମାରେ ଥିବା ଏହି ପାହାଡ଼ ଅଞ୍ଚଳରେ କନ୍ଧ ଆଦିବାସୀମାନେ ଦେବୀପୂଜା କରି ବଳି ଦେଉଥିଲେ । ଏହି ବଳି ଯାତ୍ରା ଦେଖିବାକୁ ଆସିଥିବା ଅନ୍ତରାମ ପାଢ଼ୀ ନାମରେ ଜଣେ ବ୍ରାହ୍ମଣ ପାହାଡ଼ର ଗୁମ୍ଫାରେ ଶିବଲିଙ୍ଗକୁ ଆବିଷ୍କାର କରିଥିଲେ । ସେହି ଦିନ ଠାରୁ ତାଙ୍କ ବଂଶଧରମାନେ ଏହି ଶିବଲିଙ୍ଗକୁ ପୂଜା କରି ଆସୁଛନ୍ତି ।

ଯିଏ ବାବା ଧବଳେଶ୍ୱର ଭାବେ ବିରାଜିତ । ଧବଳେଶ୍ୱର ମନ୍ଦିରକୁ ଯାଇ ପୂଜା କରିବା ଶ୍ରଦ୍ଧାଳୁଙ୍କ ପାଇଁ ସେତେ ସହଜ ନ ଥିଲା । ଗୁମ୍ଫା ଭିତରକୁ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଥିଲା । ପରେ ଜଣେ ଶିଳ୍ପପତି ପାହାଡ଼କୁ ଖୋଦେଇ କରି ଛିଡା ହୋଇ ଯିବା ଆସିବା ପାଇଁ ସୁବିଧା କରିଥିଲେ । ଆଜି ବି ମନ୍ଦିର ଭିତରେ ଅନେକ ଅନାବିସ୍କୃତ ଗୁମ୍ଫା ଦେଖିବାକୁ ମିଳେ । ବର୍ତ୍ତମାନ କିନ୍ତୁ ମନ୍ଦିରର ଅନେକ ପରିବର୍ତ୍ତନ ଆସିଲାଣି । ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ହାତକୁ ନେଇଛି । ବାବାଙ୍କ ପୀଠରେ ମହା ଶିବରାତ୍ରି ମେଳା ବେଶ ପ୍ରସିଦ୍ଧ ।

୮ ଦିନ ଧରି ଚାଲୁଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ । ଶ୍ରାବଣ ସୋମବାରରେ ମଧ୍ୟ କାଉଡିଆ ଓ ଶ୍ରଦ୍ଧାଳୁମାନଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳେ । ବାବାଙ୍କୁ ଭସ୍ମ ଆରତୀ ମଧ୍ୟ କରାଯାଉଛି । ଯାହା ଦେଖିଲେ ଆଖି ଲାଖିଯାଏ । ବାବା ଧବଳେଶ୍ୱର ଶ୍ରଦ୍ଧାଳୁଙ୍କ ମନ ସ୍କାମନା ପୂର୍ଣ୍ଣ କରୁଥିବା ବିଶ୍ୱାସ ରହିଆସିଛି । ପ୍ରତିଦିନ ଏଠାରେ କେହି ନା କେହି ଜଳାଭିଷେକ, ରୁଦ୍ରାଭିଷେକ କରି ନିଜ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

Also read: ପଶ୍ଚିମ ଓଡିଶାର ଅନ୍ୟତମ ପୁରାତନ ଶୈବପୀଠ ବାବା ବୈଦ୍ୟନାଥ ବା କୋଶଳେଶ୍ଵର