ବାବା ଐଶାନେଶ୍ୱର ମନ୍ଦିରରେ ପାଳିତ ହେଲା କ୍ଷୀରସାଗର ମେଳା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ପ୍ରସିଦ୍ଧ ତଥା କୋଣାର୍କ-କାକଟପୁର ମୂଖ୍ୟରାସ୍ତା ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଐଶାନେଶ୍ୱର ମନ୍ଦିରରେ ନବମ ବାର୍ଷିକ କ୍ଷୀରସାଗର ମେଳା ମହାସମାରୋହରେ ପାଳିତ ହୋଇଯାଇଛି । ତେବେ ଏହି ଅବସରରେ ମହାଦେଦଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଖୁବ ଭିଡ଼ ଜମିଥିଲା ।

ବାବା ଐଶାନେଶ୍ୱର ମନ୍ଦିରରେ ପାଳିତ ହେଲା ନବମ ବାର୍ଷିକ କ୍ଷୀରସାଗର ମେଳା । କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ପ୍ରସିଦ୍ଧ ତଥା କୋଣାର୍କ-କାକଟପୁର ମୂଖ୍ୟରାସ୍ତା ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଐଶାନେଶ୍ୱର ମନ୍ଦିରରେ ନବମ ବାର୍ଷିକ କ୍ଷୀରସାଗର ମେଳା ମହାସମାରୋହରେ ପାଳିତ ହୋଇଯାଇଛି । ତେବେ ଏହି ଅବସରରେ ମହାଦେଦଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଖୁବ ଭିଡ଼ ଜମିଥିଲା । ମନ୍ଦିର ମୁଖ୍ୟ ପୂଜକ ଅଭୟ ପାଢ଼ୀ ଓ ରବୀନ୍ଦ୍ର ନାଥ ନନ୍ଦଙ୍କ ପକ୍ଷରୁ ମହାଦେବଙ୍କୁ ଅତି ଶ୍ରଦ୍ଧାରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା ।
ଏହା ପରେ କର୍ତ୍ତା ପ୍ରକାଶ ଚନ୍ଦ୍ର ଦାଶ, ପାଖ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଐଶାନେଶ୍ୱର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହା ସହିତ ସ୍ଥାନୀୟ ଅଞ୍ଚଳର ସମସ୍ତ ଗୋପାଳ ସମ୍ପ୍ରଦାୟର ଲୋକ ଅର୍ଥାତ ଶ୍ରଦ୍ଧାଳୁମାନେ ନିଜର କ୍ଷୀର ବ୍ୟବସାୟ ବନ୍ଦ କରି ଏହି ମେଳାରେ ନିଜର କ୍ଷୀର ଧରି ଲମ୍ବା ଧାଡିରେ ଛିଡା ହୋଇ ପ୍ରାୟ ୧୦ ହଜାର ଲିଟର କ୍ଷୀର ମହାଦେବଙ୍କ ଉପରେ ଢାଳି ଥିବା ଜଣାପଡିଛି । ଶ୍ରଦ୍ଧାଳୁଙ୍କ ଏଭଳି ଭକ୍ତି ଦେଖି ମନ୍ଦିରରେ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ପରିବେଶ ।
ବାବା ଐଶାନେଶ୍ୱର କ୍ଷୀରସାଗର କମିଟି ପକ୍ଷରୁ ଆୟୋଜିତ ଏହି କ୍ଷୀର ସାଗର ମେଳାରେ କମିଟର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କୁ ସାହାଯ୍ୟ ସହଯୋଗ କରିଥିଲେ । ପରେ ସେହି କ୍ଷୀରରେ ପ୍ରସାଦ ତିଆରି କରାଯାଇ ଏକତ୍ର ହୋଇଥିବା ଶତାଧିକ ଶୈବ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା । ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ସହିତ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଳି ଆଜି ବି ଏହି ଶୈବପୀଠରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା ।
ଅନେକ ବର୍ଷରୁ ବାବା ଐଶାନେଶ୍ୱର ମନ୍ଦିରରେ ଏହି କ୍ଷୀରସାଗର ମେଳା ଅନୁଷ୍ଠିତ ହୋଇଆସୁଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କର ଅନେକ ଶ୍ରଦ୍ଧା ଏବଂ ଭକ୍ତି ରହିଛି । ବିଭିନ୍ନ ଶୈବପୀଠ ମାନଙ୍କରେ ଅନେକ ଉତ୍ସବ ତଥା ମେଳା ଅନୁଷ୍ଠିତ ହେଉଥିଲେ ମଧ୍ୟ କୋଣାର୍କର ପ୍ରସିଦ୍ଧ ଶୈବପୀଠ ବାବା ଐଶାନେଶ୍ୱର ମନ୍ଦିରର ମହିମା ଅପାର ରହିଛି ବୋଲି ଲୋକେ କୁହନ୍ତି । ଏଠାରେ ଜଳାଭିଷେକ କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।