ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରଭୁ ଗଣେଶଙ୍କ ପୂଜା ଉତ୍ସବ ବେଶ ଧୂମଧାମରେ ପାଳନ କରାଯାଏ । ଏଠାକାର ଅତି ସୁନ୍ଦର ଓ ବିରାଟକାୟ ଗଣେଶଙ୍କ ପ୍ରତିମା ଏବଂ ପେଣ୍ଡାଲ୍ ଦେଶ ବିଦେଶରେ ଖୁବ୍ ପ୍ରସିଦ୍ଧ । ତେବେ ଚଳିତ ବର୍ଷ, ମୁମ୍ବାଇର ମାଟୁଙ୍ଗାର କିଙ୍ଗସ ସର୍କଲରେ ଅବସ୍ଥିତ ଜିଏସବି ସେବା ମଣ୍ଡଳର ଗଣପତି ପୁଣି ଥରେ ବେଶ ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ ଦେଶର ସବୁଠାରୁ ଧନୀ ଗଣପତି ବୋଲି କୁହାଯାଉଛି । କାରଣ ଏଠାରେ ଗଣପତି ବାପ୍ପାଙ୍କ ମୂର୍ତ୍ତିକୁ ଶହ ଶହ କିଲୋ ସୁନା ଏବଂ ରୂପାରେ ସଜାଯାଇଛି ।
ଏହି କାରଣରୁ ସେବା ମଣ୍ଡଳ ୨୦୨୫ ମସିହାର ଗଣେଶଙ୍କ ପୂଜା ପାଇଁ ୪୫୦ କୋଟିରୁ ଅଧିକ ଟଙ୍କାର ବୀମା କରିଛି । ଏହା ପୂର୍ବରୁ ମଧ୍ୟ, ଗଣେଶ ପୂଜା ସମୟରେ ଏହି ମଣ୍ଡଳକୁ କୋଟି କୋଟି ଟଙ୍କାର ବୀମା କରାଯାଇଛି । କିନ୍ତୁ ଚଳିତ ବର୍ଷ ଏଠାକାର ସମସ୍ତ ରେକର୍ଡ ଭାଙ୍ଗିଯାଇଛି । ମୁମ୍ବାଇର ମାଟୁଙ୍ଗାରେ ଥିବା ଜିଏସବି ସେବା ମଣ୍ଡଳ ଦ୍ୱାରା ବାପ୍ପାଙ୍କୁ ପ୍ରାୟ ୬୭ କିଲୋଗ୍ରାମ ସୁନା ଅଳଙ୍କାରରେ ସଜ୍ଜିତ କରାଯାଇଛି । ଏହା ସହିତ ଗଣପତି ବାପ୍ପା ଯେଉଁ ରୂପା ସିଂହାସନରେ ବିରାଜିତ ହୋଇଛନ୍ତି ତାହା ୩୫୦ କିଲୋଗ୍ରାମ ରୂପାରେ ତିଆରି ।
ସୁନା ଏବଂ ରୂପା ଅଳଙ୍କାର ବ୍ୟତୀତ ଗଣେଶ ମଣ୍ଡଳ ଯେଉଁ ବୀମା କରିଛି ସେଥିରେ ମଣ୍ଡଳର ସ୍ୱେଚ୍ଛାସେବକ, ପୁରୋହିତ, ରୋଷେୟା, ସୁରକ୍ଷା କର୍ମୀ ଇତ୍ୟାଦିଙ୍କ ଦୁର୍ଘଟଣା ବୀମା, ସାର୍ବଜନୀନ ଦାୟିତ୍ୱ ବୀମା ସହିତ ଯେକୌଣସି ବିପର୍ଯ୍ୟୟ ଯୋଗୁଁ ହୋଇଥିବା କ୍ଷତି ପାଇଁ ବୀମା ଆଦି ସାମିଲ ରହିଛି । ଯଦିଓ ଜିଏସବି ସେବା ମଣ୍ଡଳ ବର୍ତ୍ତମାନ ଏହାର ସବୁଠାରୁ ଧନୀ ଗଣପତି ପାଇଁ ଖାସ ଚର୍ଚ୍ଚାରେ କିଛି କିନ୍ତୁ ଏହା ବ୍ୟତୀତ ଏହି ମଣ୍ଡଳ ଅନେକ ବିଶେଷ କାର୍ଯ୍ୟ କରେ । ଏହି ମଣ୍ଡଳ ଗୌଡ଼ ସାରସ୍ୱତ ବ୍ରାହ୍ମଣ ସମ୍ପ୍ରଦାୟ ପାଇଁ ବିଶେଷ ଗୁରୁତ୍ୱ ରଖେ ।
ଏଠାରେ ଗଣପତିଙ୍କ ମୂର୍ତ୍ତି ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ମାଟିରୁ ତିଆରି ହୋଇଛି । ଏହା ସହିତ ଗଣପତି ବାପ୍ପାଙ୍କ ଉପରେ କେବଳ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଏ । ଏଠାକାର ସବୁଠାରୁ ବଡ଼ ସ୍ୱତନ୍ତ୍ରତା ହେଉଛି ରେକର୍ଡ ହୋଇଥିବା ସଙ୍ଗୀତ ବଜାଇବା ପରିବର୍ତ୍ତେ, ପାରମ୍ପରିକ ଦକ୍ଷିଣ ଭାରତୀୟ ମନ୍ଦିର ବାଦ୍ୟଯନ୍ତ୍ର ସହିତ ଏଠାରେ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା କରାଯାଏ । ବିଶ୍ୱାସ ରହିଛି ମାଟୁଙ୍ଗାର ଏହି ଗଣପତି ବାପ୍ପାଙ୍କର କେବଳ ଗୋଟିଏ ଝଲକ ଦେଖିଲେ ହିଁ ସମସ୍ତ ମନସ୍କାମନା ପୂରଣ ହୁଏ ।
ସେହିଭଳି ମୁମ୍ବାଇର ୧୦ ଦିନିଆ ଗଣେଶ ମହୋତ୍ସବରେ, ପ୍ରତିଦିନ ସକାଳେ ଭଗବାନ ଗଣପତିଙ୍କ ପୂଜା ପରେ ମଣ୍ଡପରେ ନଡ଼ିଆ ଭାଙ୍ଗିବାର ପରମ୍ପରା ଅଛି । ଏହି ଭଙ୍ଗା ନଡ଼ିଆ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଦିଆଯାଏ । ଅନ୍ୟପଟେ ଗଣେଶ ପୂଜା ପାଇଁ ଏବେ ଚଳଚଞ୍ଚଳ ମାୟନଗରୀ ମୁମ୍ବାଇ । ୧୦ ଦିନ ଧରି ଏବେ ମୁମ୍ବାଇରେ ଧୂମଧାମରେ ପାଳିତ ହେବ ଗଣେଶ ମହୋତ୍ସବ ।
Also read: ସ୍ୱତନ୍ତ୍ର ରୀତିନୀତିରେ ପୁରାତନ ଗଣେଶ ମନ୍ଦିରରେ ହେଲା ପୂଜାର୍ଚ୍ଚନା