ଐତିହାସିକ ପୁରାଣ ପ୍ରସିଦ୍ଧ ଅଡମ୍ବୁରୁ ପୀଠର ଶନି ମେଳା, ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଚୌଦ୍ୱାର: କାହିଁ କେଉଁ ଆଦିମ କାଳରୁ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜଳୁକା ପାହାଡ଼ ପାଦଦେଶରେ ଅବସ୍ଥିତ ଅଡ଼ମ୍ବୁରୁ ଠାରେ ଶନି ଦେବଙ୍କ ପୂଜା ହୋଇଆସୁଛି । ଆଜି ଶନିବାର ଥିବାରୁ ଶନି ଦେବଙ୍କ ନିକଟରେ ଜଳାଭିଷେକ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଥିବାର ଦେଖିବାକୁ ମିଳିଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ଧୁମଧାମରେ ପାଳିତ ହେଉଛି ଶନି ମେଳା ।
ଐତିହାସିକ ପୁରାଣ ପ୍ରସିଦ୍ଧ ଶନି ମେଳା ଅଡମ୍ବୁରୁ ପୀଠରେ ଅନୁଷ୍ଠିତ ହେଉଛି । ଏହି ମେଳାରେ ୫ଲକ୍ଷ ରୁ ଅଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଛି । ନିଜ ନିଜ ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ମାନେ ଶନିଦେବକୁ ଜଳାଭିଷେକ କରୁଥିବାର ଦେଖିବାକୁ ମିଳିଛି । ୭ଟି ରୁ ୧୦୮ଟି କଳସି ପର୍ଯ୍ୟନ୍ତ ନିଜ ମାନସିକ ହିସାବରେ ପାଖରେ ଥିବା ଏକ ପୋଖରୀରୁ ଜଳ ଆଣି ଶନି ଦେବଙ୍କ ପ୍ରତିମା ଉପରେ ଢ଼ାଳିବାରେ ଲାଗି ପଡିଛନ୍ତି । ବହୁ ଶ୍ରଦ୍ଧାଳୁ ମାନସିକ କରି ଉକ୍ତ ଗାଧୁଆ ଜଳ ଉପରେ ଅଧିଆ ପଡିରହିଛନ୍ତି । ସେମାନଙ୍କ ମାନସିକ ପୂରଣ ହେଲେ ସେମାନେ ଆସନ୍ତା ବର୍ଷ ଜଳଭିଷେକ କରିବେ ବୋଲି ଜଣାପଡିଛି ।
ଆଜିର ଏହି ଗ୍ରହରାଜଙ୍କ ଜଳ ଅଭିଷେକ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ଵସ ରହିଛି, ଏଣୁ କଟକ ଜିଲ୍ଲା ସହିତ ଯାଜପୁର. ଖୋର୍ଦ୍ଧା. ଢେଙ୍କାନାଳ ସହିତ ଓଡିଶା ର ବହୁ ଜିଲାରୁ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ଲାଗିରହିଛି, ମଧ୍ୟ ରାତ୍ର ରୁ ଭକ୍ତ ମାନେ ପାଣି ଢ଼ାଳିବା ଆରମ୍ଭ କରି ଦିନ ଦୁଇପ୍ରହର ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ ।
ଭିଡ଼ କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୨୦ ଏଏସଆଇ, ୦୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହିତ ଅଗ୍ନିଶମ ବାହିନୀ, ମେଡିକାଲ ଟିମ୍, ପରିଚାଳନା କମିଟି , ବିଭିନ୍ନ ବିଦ୍ୟାଳୟର ଛାତ୍ର, ବହୁ ସମାଜସେବୀ ମାନେ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି । ପ୍ରବଳ ଖରାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ପାଣି ସ୍ପେର ର ବ୍ୟବସ୍ଥା କରାଯାଇଛି ।
ଏହି ମେଳା ରେ ବିଭିନ୍ନ ଉଠା ଦୋକାନୀ ମାନେ ପସରା ପକାଇ ଭଲ ବେପାର କରୁଥିବାବେଳେ , ବିଶେଷ କରି କଳସ ଦୋକାନରେ ଭିଡ଼ ଲାଗିବା ସହିତ ଦୀପ,ସଳିତ ବେପାର ଜୋରଦାରରେ ଚାଲିଛି । ଭୋଗ ଦୋକାନ ମାନଙ୍କରେ ଭିଡ଼ ଲାଗିରହିଛି । ଶିଳ, ଚକି, ବିଭିନ୍ନ ଘରକରଣା ଜିନିଷ ସହିତ ବହୁ ଷ୍ଟଲ ଲାଗିଛି ।
ଏହି ପୀଠରେ ଯେଉଁ ପୋଖରୀରୁ ପାଣି ଆଣି ଭକ୍ତ ମାନେ ଶନିବେବଙ୍କ ଉପରେ ଜଳାଭିଷେକ କରନ୍ତି ସେହି ପୋଖରୀରେ ଗାଧେଇଲେ ବିଭିନ୍ନ ଚର୍ମ ରୋଗ ଭଲ ହୋଇଯାଏ ବୋଲି ବିଶ୍ଵାସ ରହିଛି । ଓଡିଶା ଏହା ଏକ ବଡ ମେଳା, ଯେଉଁଠି ଶନିଦେବଙ୍କ ଆଶିର୍ବାଦ ପାଇବା ପାଇଁ ଧାଇଁଆସିଥାନ୍ତି ଶ୍ରଦ୍ଧାଳୁ ।
ଆହୁରି ପଢନ୍ତୁ: ଦଶପଲ୍ଲା ଗୋପାଳପୁର ଠାରେ ଧୁମଧାମର ସହ ପାଳିତ ହେଲା ପ୍ରଭୁ ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବ