ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । ରାଜ୍ୟରେ ରହିଥିବା ପ୍ରମୁଖ ଶକ୍ତିପୀଠରୁ ଅନ୍ୟତମ ହେଉଛି ଗଞ୍ଜାମ ଜିଲ୍ଲାର ମାଁ ତାରାତାରିଣୀଙ୍କ ପୀଠ । ମାଁ ତାରାତାରିଣୀଙ୍କ ପୀଠରେ ଗତକାଲି ସଂଧ୍ୟାରେ ଆରମ୍ଭ ହୋଇଛି ମାଁଙ୍କ ଷୋଡ଼ଶ ଉପଚାର ପୂଜା । ପୂଜାର ପ୍ରଥମ ଦିନରେ ରବିବାର ସନ୍ଧ୍ୟାରେ ମନ୍ଦିରର ସେବାୟତ ଓ ସେବାୟତଙ୍କ ପରିବାରର ମହିଳାମାନେ ଋଷିକୂଲ୍ୟା ନଦୀ ନାକଟରେ ପହଞ୍ଚିଥିଲେ । ସେଠାରେ ଋଷିକୂଲ୍ୟା ନଦୀକୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା । ଏହାପରେ ସେବାୟତ ପରିବାରର ମହିଳାମାନେ ସହସ୍ରାଧିକ ମାଠିଆରେ ନଦୀରୁ ପାଣି ସଂଗ୍ରହ କରିଥିଲେ ।
ନଦୀ ନିକଟରେ ପୂଜା ସରିବା ପରେ ମହିଳା ମାନେ ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମାଁଙ୍କ ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ମାଁଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିର ପରିସରରେ ରହିଥିବା ସ୍ନାନ ମଣ୍ଡପକୁ ମାଁ’ଙ୍କୁ ଅଣାଯାଇଥିଲା । ସେଠାରେ ମାଁ ଙ୍କୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ମାଁ’ଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ପୁଣିଥରେ ସ୍ନାନ ମଣ୍ଡପରୁ ମାଁଙ୍କୁ ମୁଖ୍ୟ ମନ୍ଦିରକୁ ନିଆଯାଇଥିଲା । ମା’ ଶୟନକୁ ଚାଲି ଯାଇଥିଲେ ଆଜି ମାଁ’ଙ୍କ ଉତଥାପନା ହୋଇଛି ।
ଏଣୁ ମାଁ’ଙ୍କ ଏଭଳି ଷୋଡ଼ଶ ଉପଚାର ପୂଜାରେ ନିଜକୁ ସାମିଲ କରି ନଦୀ ପାଣି ମଣ୍ଡରେ ଧରି ମା’ଙ୍କୁ ଜଳଲାଗି କରିଥିବା ଯୋଗୁଁ ବେଶ ଖୁସି କହିଛନ୍ତି ସେବାୟତ ପରିବାରର ମହିଳାମାନେ । ଯାହାଫଳରେ ମନ୍ଦିରରେ ଲାଗିଥିଲା ଭକ୍ତ ମାନଙ୍କର ପ୍ରବଳ ଭିଡ଼ । ମା’ଙ୍କ ସ୍ନାନ ଦେଖିବା ସହ ମାଁ’ଙ୍କୁ ଦର୍ଶନ କରି ବେଶ ଖୁସି ଥିବା କହିଛନ୍ତି ଭକ୍ତ । ମାଁ’ ଙ୍କ ସ୍ନାନ ମଣ୍ଡପରେ ସ୍ନାନ କରାଯିବା ପରେ ମନ୍ଦିର ଭିତରେ ପୁଣିଥରେ ମହାସ୍ନାନ କରାଯାଇଥିଲା । ଏହାପରେ ପୂଜାର ପ୍ରଥମ ଦିନରେ ବିଭିନ୍ନ ରୀତିନୀତି ଅନୁସାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।
ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଁ ତାରାତାରୀଣିଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୂଜା ସମୟରେ ମାଁ’ଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ବୋଲି ଭକ୍ତମାନଙ୍କର ଅଗାଢ ବିଶ୍ବାସ ରହିଛି ବୋଲି କହିଛନ୍ତି ଶ୍ରୀଅଙ୍ଗ ଲାଗି ସେବାୟତ । ସେପଟେ ଷୋଡଶ ଉପଚାର ପୂଜା ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ ମାଁଙ୍କୁ ଦର୍ଶନ କରିବା ନିମନ୍ତେ ବର୍ତ୍ତମାନ ଭକ୍ତଙ୍କ ଭିଡ ଲାଗିବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହାସହିତ ଶାନ୍ତିଶୃଙ୍ଖଳା ଦର୍ଶନ ନିମନ୍ତେ କିଛି ପୋଲିସ ମଧ୍ୟ ମନ୍ଦିର ପରିସରରେ ମୁତୟନ ହୋଇଛନ୍ତି । ସମସ୍ତ ବିଭାଗର ସହଯୋଗରେ ପୂଜା ଶେଷ ହେବ ବୋଲି ଆଶା ରଖାଯାଇଥିବା କହିଛନ୍ତି ମନ୍ଦିର ପରିଚାଳନା କମିଟି । ପବିତ୍ର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଁ ତାରାତାରିଣୀଙ୍କ ପୀଠରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପୂଜା । ଆଉ ମାଁଙ୍କ ଏହି ୧୬ ଦିନାତ୍ମକ ପୂଜାକୁ ଦେଖିବା ନିମନ୍ତେ ଜିଲ୍ଲା ତଥା ଜିଲ୍ଲା ବାହରୁ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିବ ।
Also read: ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠରେ ଷୋଡଶ ଉପଚାରରେ ଚାଲିଛି ପୂଜାର୍ଚନା