ସ୍ୱାମୀ ଆଉ କାହା ସହ ରୋମାନ୍ସ କରୁଥିଲେ କ’ଣ କରିବେ ପତ୍ନୀ, ଜାଣନ୍ତୁ ଏକ୍ସପର୍ଟଙ୍କ ମତାମତ

ବର୍ତ୍ତମାନ ପରିବାର ଭିତରେ ଆଉ ଆଗ ଭଳି ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଦେଖିବାକୁ ମିଳୁନାହିଁ। ଖାସ୍ କରି ଦମ୍ପତିଙ୍କ ମଧ୍ୟରେ ପରସ୍ପର ପ୍ରତି ବିଶ୍ୱାସ ନଥିବା ଦେଖାଯାଉଛି। ଏଣୁ ସମ୍ପର୍କ ବାହାରକୁ ମଜଭୁତ ଦିଶୁଥିଲେ ମଧ୍ୟ ଭିତରେ ପୂରା ଫମ୍ପା ହୋଇପଡ଼ିଛି। କେବଳ ଏହି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଜଣେ ତୃତୀୟ ବ୍ୟକ୍ତି ଆରାମରେ ପ୍ରବେଶ କରିପାରୁଛି। ଘରେ ପାର୍ଟନରଙ୍କ ଠାରୁ ପର୍ଯ୍ୟାପ୍ତ ସମୟ ଓ ଭଲ ପାଇବା ପାଉନଥିବାରୁ ସାଥୀ ଆଉ ଜଣଙ୍କ ପ୍ରତି ସହଜରେ ଆକର୍ଷିତ ହେଉଛନ୍ତି। ଫଳରେ ସାମାଜିକ ଜୀବନ ନଷ୍ଟ ହୋଇଯାଉଛି। ଏବେକାର ଆଧୁନିକ ଯୁଗରେ ପ୍ରେମିକ ପ୍ରେମିକା ହୁଅନ୍ତୁ ଅବା ସ୍ୱାମୀ-ସ୍ତ୍ରୀ ପାର୍ଟନରଙ୍କ ବ୍ୟତୀତ ଅନ୍ୟମାନଙ୍କ ସହ ମଧ୍ୟ ରୋମାଣ୍ଟିକ୍ କଥା ହେଉଥିବା ଦେଖାଯାଉଛି।
ଏବେ ସୋସିଆଲ ମିଡିଆର ବ୍ୟବହାର ବଢ଼ି ଯାଇଥିବାରୁ ହ୍ଵାଟ୍ସଆପ୍, ଫେସ୍ବୁକ୍, ମେସେଞ୍ଜର ମାଧ୍ୟମରେ ପାର୍ଟନରଙ୍କୁ ଲୁଚାଇ ଅନ୍ୟମାନଙ୍କ ସହ କଥା ହେବା ଏକ ସାଧାରଣ ଘଟଣା ପାଲଟିଛି। ଖାସ୍ କରି ପୁରୁଷମାନେ ସ୍ତ୍ରୀଙ୍କୁ ଲୁଚାଇ ଝିଅ ସାଙ୍ଗ କିମ୍ବା ଅଫିସ୍ ଷ୍ଟାଫ୍ଙ୍କ ସହ ରାତି ରାତି କଥା ହୋଇଥାନ୍ତି। ଆଉ ଏସବୁ ଯଦି ସ୍ତ୍ରୀଙ୍କ ହାବୁଡ଼ରେ ପଡ଼ିଗଲା ତେବେ ସାଧାରଣ ଭାବେ କଥାକୁ ଏଡ଼ାଇ ଦେଇଥାନ୍ତି। କେହି କେହି ଏହାକୁ ଧୋକା ବା ଚିଟିଂ କହୁଥିବା ବେଳେ ଆଉ କିଛି ଏହାକୁ ଏକ ସାଧାରଣ କଥା ଭାବନ୍ତି। ତେବେ ଆସନ୍ତୁ ଜାଣିବା ଚିଟିଂ ବା ଧୋକାର ପ୍ରକୃତ ପରିଭାଷାକୁ ନେଇ କ’ଣ କୁହନ୍ତି ରିଲେସନ୍ସିପ୍ ଏକ୍ସପର୍ଟ…
ରିଲେସନ୍ସିପ୍ ଏକ୍ସପର୍ଟଙ୍କ ମୁତାବକ ଏକ ସମ୍ପର୍କରେ ଚିଟିଂ ବା ଧୋକାର ପରିଭାଷା ବୁଝାଇବା ଏତେଟା ସହଜ ନୁହେଁ। ଭିନ୍ନ ଭିନ୍ନ ଲୋକଙ୍କ ଚିନ୍ତାଧାରା ଓ ମାନସିକତା ଭିନ୍ନ ଭିନ୍ନ ହୋଇଥାଏ। ପାର୍ଟନର ଆଉ କାହା ସହ ଅନ୍ତରଙ୍ଗ ଭାବେ କଥାବାର୍ତ୍ତା ହେବାକୁ କେହି ଧୋକା ଦେବା କହୁଥିବା ବେଳେ ଆଉ କେହି ଶାରୀରିକ ସମ୍ପର୍କକୁ ଧୋକା ବୋଲି ଚିନ୍ତା କରିଥାଏ। ଏଣୁ ଧୋକାର ପ୍ରକୃତ ପରିଭାଷା କହିବା ଅସମ୍ଭବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦମ୍ପତି ବା ପ୍ରେମିକ-ପ୍ରେମିକା ଅଧିକ ଭଲ ପାଇବା ହେଉ ଅବା ସନ୍ଦେହ ଯୋଗୁ ପରସ୍ପର ଉପରେ ବେଶି ନଜର ରଖିଥାନ୍ତି। ସେତେବେଳେ ପାର୍ଟନର କାହା ସହ ହସିକି ପଦେ କଥା ହୋଇଗଲେ ବି ସେମାନେ ସହି ପାରନ୍ତି ନାହିଁ ଓ ଏହାକୁ ଚିଟିଂ ବା ଧୋକା ବୋଲି ଭାବିଥାନ୍ତି।
ତେବେ କେତେକ ସାଧାରଣ କଥାକୁ ଆମେ ଧୋକା ବୋଲି କହିପାରିବା। ଉଦାହରଣ ସ୍ୱରୂପ: ତୃତୀୟ ବ୍ୟକ୍ତିଙ୍କୁ ଚୁମ୍ବନ ଦେବା ବା ଶାରୀରିକ ସମ୍ପର୍କ ରଖିବାକୁ ଆମେ ସିଧାସଳଖ ଚିଟିଂ କହିପାରିବା। କିନ୍ତୁ ମାନସିକ ଭାବେ କାହା ସହ ଭଲରେ ଦିପଦ କଥା ହେବାକୁ ଧୋକା ଦେବା କହିବା ଭୁଲ ହୋଇପାରେ। ଏସବୁ ଟେନ୍ସନରୁ ମୁକ୍ତି ପାଇଁ ପାର୍ଟନରଙ୍କ ସହ ଯେତେ ପାରୁଛନ୍ତି ସେତେ ଅଧିକ ମିଶନ୍ତୁ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ। ସେ କ’ଣ ଚାହୁଁଛନ୍ତି ବୁଝନ୍ତୁ। ଏଭଳି ଭାବେ ପାର୍ଟନରଙ୍କ ମନ କଥା ବୁଝିଲେ ହିଁ ସେ ଅନ୍ୟ କାହା ଆଡ଼େ ଆକର୍ଷିତ ହେବେ ନାହିଁ। ସମ୍ପର୍କକୁ ଏତେ ମଜଭୁତ୍ କରନ୍ତୁ ଯେମିତି କେହି ତୃତୀୟ ବ୍ୟକ୍ତି ଆପଣଙ୍କ ମଝିରେ ପଶିବାକୁ ସାହସ କରିବ ନାହିଁ।