ଆରମ୍ଭ ହୋଇଯାଇଛି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପାରମ୍ପରିକ ଯାତ୍ରା

ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢୀ ଠାକୁରାଣୀ । ପ୍ରତି ଦୁଇବର୍ଷରେ ଥରେ ମାଁଙ୍କ ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତଥର ମାଙ୍କ ଯାତ୍ରା ଗୁରବାର ବିଳମ୍ବିତ ରାତ୍ରୀରୁ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ରେଶମ ସହର ବ୍ରହ୍ମପୁର ଉତ୍ସବ ମୁଖର ହୋଇଉଠିଛି । ବିଳମ୍ବିତ ରାତ୍ରୀ ୧.୧୫ ମିନିଟରେ ଦେଶୀବେହେରା ସାହିରୁ ଏକ ବିରାଟ ପଟୁଆରରେ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲା । ମନ୍ଦିରରେ ପାରମ୍ପରିକ ସ୍ୱତନ୍ତ୍ରୀ ନୀତିକ୍ରାନ୍ତି ପରେ ମାଙ୍କ ଆଜ୍ଞାମାଳ ଚାଙ୍ଗୁଡିରେ ପଡିଥିଲା ।

ଏହାପରେ ମାଙ୍କ ଯାତ୍ରା ପାଇଁ ଅନୁମତି ମିଳିବା ସ୍ପଷ୍ଟ ହୋଇଥିଲା । ଏହାପରେ ମାଙ୍କୁ ଶଶୁର ଘରୁ ଅର୍ଥାତ ମୁଖ୍ୟ ମନ୍ଦିରରୁ ବାପଘରକୁ ଅର୍ଥାତ ଅସ୍ଥାୟୀ ମଣ୍ଡପକୁ ଭୋର ୩.୩୦ ମିନଟରେ ଆସିଥିଲେ । ମାଙ୍କ ଏହି ପଟୁଆରରେ ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ହୋଇଥିଲେ । ଏନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ସେପଟେ ମା ଅସ୍ଥାୟୀ ମଣ୍ଡପରେ ଗୋଟିଏ ଦିନ ବିଶ୍ରାମ ନେବା ପରେ ମାଙ୍କ ଘଟ ବିଭିନ୍ନ ସାହି ପରିକ୍ରମାରେ ବାହାରିବ ବୋଲି ପ୍ରକାଶ କରିଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ।

ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା ବୁଢୀଠାକୁରାଣୀଙ୍କ ଏହି ପ୍ରସିଦ୍ଧ ଯାତ୍ରା ଚଳିତଥର ୨୬ ଦିନ ବ୍ୟାପି ଅନୁଷ୍ଠିତ ହେବ । ଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ପ୍ରବଳ ସମାଗମ ହେବ । ଏଥିପାଇଁ ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାତ୍ରାର ପ୍ରଥମ ଦିନରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ୬ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଭକ୍ତଙ୍କ ଭିଡ, ଟ୍ରାଫିକ ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ପୃଥକ ପୃଥକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହାଛଡା ଯାତ୍ରାରେ ଯେହେତୁ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ ରହିବ ସେଥିପାଇଁ ପର୍ଯ୍ୟାପ୍ତ ମହିଳା ପୋଲିସ ମୁତୟନ ସହ ମହିଳା ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯାଇଥିବା ପ୍ରକାଶ କରିଛନ୍ତି ବ୍ରହ୍ମପୁର ଏସପି । ଏହା ବ୍ୟତୀତ ଯାତ୍ରାସ୍ଥଳ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ କିଭଳି ଶାନ୍ତି ଓ ଶୃଙ୍ଖଳାର ସହ ଯାତ୍ରା ସମାପନ ହେବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ମା’ଙ୍କୁ ବିଳମ୍ୱିତ ରାତିରେ ଦେଶୀବହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରିବା ପରେ ମାଁଙ୍କ ଦର୍ଶନ କରିବା ଲାଗି ଭକ୍ତଙ୍କ ଭିଡ ଆରମ୍ଭ ହୋଇଯାଇଛି ।

Also read: ଅଗ୍ନି ରୂପରେ ପ୍ରକଟ ହେଲେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା