ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

ଚାଲିଛି ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ମା’ ଆସିଛନ୍ତି ବାପ ଘରକୁ । ଖାଇବା ପିଇବାର ଆସର ଜମୁଛି, ନାଚ ଗୀତର ଆସର ମଧ୍ୟ ଜମୁଛି । ଆଉ ରାତିରେ ମା’ ବାହାରୁଛନ୍ତି ନଗର ପରିକ୍ରମାରେ । ଭକ୍ତଟିଏ ଯେମିତି ମା’ଙ୍କ ଦାଣ୍ଡକୁ ଆସି ଆଶିଷ ଲଭୁଛି ଠିକ୍ ସେହିପରି ମା’ମଧ୍ୟ ଭକ୍ତର ଦାଣ୍ଡକୁ ଯାଇ ଆଶୀର୍ବାଦ ପ୍ରଦାନ କରୁଛନ୍ତି । ମା’ଙ୍କ ସେବା ପାଇଁ, ମା’ଙ୍କ ମନୋରଞ୍ଜନ ପାଇଁ ବହୁ ପ୍ରକାରର ସେବା ଖଞ୍ଜି ଦିଆଯାଇଛି ମା’ଙ୍କ ଉଦ୍ଦେଶ୍ୟରେ । ଏହି ଯେପରି କି ଚାଙ୍ଗୁ ବାଜା ଓ ପରଭା ନୃତ୍ୟ ।
ମା’ ମନ୍ଦିରରୁ ବାପ ଘରକୁ ଆସିବା ସମୟରେ କି ଅବା ବାପ ଘରୁ ମନ୍ଦିରକୁ ଯିବା ସମୟରେ ମା’ଙ୍କ ଅତି ପ୍ର୍ରିୟ ରୂପେ ଚାଙ୍ଗୁ ବାଜା ଓ ପରଭା ନୃତ୍ୟ ଲୋଡ଼ା ପଡ଼ିଥାଏ । ଏପରିକି ମା’ ନଗର ପରିକ୍ରମାକୁ ଯିବା ସମୟରେ ପଟୁଆରର ଆଗେ ଆଗେ ବାଜିଥାଏ ଚାଙ୍ଗୁ ବାଜା ଓ ପରିବେଷିତ ହୋଇଥାଏ ପରଭା ନୃତ୍ୟ । ପୁରୁଣା ବ୍ରହ୍ମପୁରରେ ରହୁଥିବା କୈଳାଶ ଘଡ଼େଇଙ୍କ ପୂର୍ବଜ ମାନେ ଏହି ସେବା ପ୍ରଦାନ କରୁଥିବା ବେଳେ ଏବେ କୈଳାସଙ୍କର ପିଢ଼ି ପିଢ଼ି ଏହି ସେବା ମା’ଙ୍କୁ ଦେଇ ଆସୁଛନ୍ତି । ଠିକ୍ ସେହିପରି ଠାକୁରାଣୀ ମନ୍ଦିର ନିକଟରେ ରହୁଥିବା ଭାଗିରଥୀ ଗନ୍ତାୟତଙ୍କ ପୂର୍ବପୁରୁଷ ମାନେ ମା’ଙ୍କ ପାଇଁ ପରଭା ନୃତ୍ୟର ଆୟୋଜନ କରି ଆସୁଥିବା ବେଳେ ଏବେ ମଧ୍ୟ ସେହି ସେବାକୁ ଜାରି ରଖିଛନ୍ତି ଭାଗିରଥି ଗନ୍ତାୟତ ଓ ତାଙ୍କ ସହକର୍ମୀ । । ସେଥିପାଇଁ କି ସକାଳ କି ସଞ୍ଜ କହିବାକୁ ଗଲେ ଦିନ ରାତି ଏବେ ଭକ୍ତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ସହରର ଦେଶୀ ବେହେରା ସାହିରେ ।
ମହୁରୀଗଡ଼ର ହରିହର ନରେନ୍ଦ୍ରଦେବ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରି ଯାଇଥିବା ଅବସରରେ ସେଠାରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିଲା । ନିଜ ଅଞଳରେ ଏହି ଯାତ୍ରା କରିବା ପାଇଁ ରାଜା ଆଗ୍ରହ ପ୍ରକାଶ କରି ସାଥୀରେ ଯାତ୍ରା ପରିଚାଳନା କରୁଥିବା ଦେବାଙ୍ଗ ସଂପ୍ରଦାୟର କିଛି ବ୍ୟକ୍ତିଙ୍କୁ ଆଣିଥିଲେ । ତାହାର ମୁଖ୍ୟ ଦେଶୀ ବେହେରା ଏବେ ଯାତ୍ରାର ମୁଖ୍ୟ ପରିଚାଳକ ରୂପେ ଦାୟିତ୍ୱ ତୁଲାଉଥିବା ବେଳେ ମା’ଙ୍କ ଉଦ୍ଦେଶ୍ୟରେ ରଜା ଖଞ୍ଜି ଦେଇଥିବା ବିଭିନ୍ନ ସେବା ଏବେ ସେହି ନିର୍ଦ୍ଧିଷ୍ଟ ପରିବାର ଲୋକ ବଂଶାନୁକ୍ରମେ ମା’ଙ୍କୁ ସେବା ପ୍ରଦାନ କରି ଆସୁଛନ୍ତି । ତେବେ ମା’ଙ୍କ ପ୍ରିୟ ଚାଙ୍ଗୁ ବାଜା ଏକ ନିର୍ଦ୍ଧିଷ୍ଟ କାଠର ଗୋଲାକାରରେ ଚମଡ଼ାକୁ ଲଗାଇ ସେହି ବାଜାକୁ ପ୍ରସ୍ତୁତ କରାଯାଇଥାଏ ।
ନିଆଁରେ ଶେକ ଦେଇ ସେହି ବାଜାରେ ଏକ ସୁନ୍ଦର କମ୍ପନ ସୃଷ୍ଟି କରାଯାଇଥାଏ ଯାହାକି ଯାତ୍ରାର ପ୍ରତିଟି ନୀତିକାନ୍ତିରେ ତାକୁ ବଜା ଯାଇଥାଏ । ଠିକ୍ ସେହିପରି ମା’ଙ୍କ ବିଭିନ୍ନ ରୂପକୁ ସ୍ୱତନ୍ତ୍ର ଭାବେ କାଗଜ, ଅଠା ଓ ରଙ୍ଗର ସହାୟତାରେ ପରଭା ରୂପେ ପ୍ରସ୍ତୁତ କରାଯାଇଥାଏ । ତାକୁ ଏକ ନିର୍ଦ୍ଧିଷ୍ଟ ପରିବାରର ସଦସ୍ୟ ମାନେ ଶରୀରରେ ଧାରଣ କରି ଚାଙ୍ଗୁ ବାଜାର ତାଳେ ତାଳେ ମା’ଙ୍କ ପଟୁଆର ଆଗରେ ନାଚି ନାଚି ଯାଇଥାନ୍ତି । ତାହା ଏକ ଗୁରୁଗମ୍ଭୀର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ଭକ୍ତ ଶ୍ରଦ୍ଧାଳୁ ମାନେ ସେହି ମନ୍ତ୍ରମୁଗ୍ଧ ପରିବେଶକୁ ଦେଖି ଆତ୍ମବିଭୋର ହୋଇ ଉଠନ୍ତି ।
Also Read:ବହୁ ଆଡ଼ମ୍ବରେ ପାଳନ ହେଲା ଅଷ୍ଟଦଣ୍ଡ ମିଳନ, ମା’ଙ୍କ ଦୁର୍ଲ୍ଲଭ ଦର୍ଶନ ଦେଖି ଆତ୍ମହରା ହେଲେ ଭକ୍ତ