ଧୁମଧାମ୍ ରେ ଚାଲିଛି ମାଆ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ଚାଙ୍ଗୁ ବାଜାର ତାଳେ ତାଳେ ପରଭା ନୃତ୍ୟ ହେଉଥିଲା । ଆଉ ଘଣ୍ଟ, ମୃଦଙ୍ଗର ଶଦ୍ଦ ଭିତରେ ମାଆଙ୍କ ଘଟ ପଟୁଆର ବାହାରିଥିଲା । ଝିଅ ବୁଢ଼ୀ ସାହାନ୍ତାଣୀ ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ବାପ ଘରକୁ ଆସିଥାନ୍ତି । ଏଣୁ ଝିଅକୁ ନାନା ସ୍ୱାଦିଷ୍ଟ ବ୍ୟଞ୍ଜନ ରାନ୍ଧି ଦେବା ସହ ଝିଅକୁ ଧରି ବୁଲିବାର ଦାୟିତ୍ୱ ମାତା ଦେବକୀ ତୁଲାଇଥାନ୍ତି ।
ଏଣୁ ବୁଢ଼ୀ ସାଆନ୍ତାଣୀ ଚାଙ୍ଗୁଡ଼ିରୁ ବାହାରି ଘଟ ଭିତରେ ପ୍ରବେଶ କରିବା ପରେ ମୁଖ୍ୟ ଘଟକୁ ମଥାରେ ଧାରଣ କରିଥିଲେ ମାତା ପି.ଦେବକୀ । ଆଉ ଏହା ପରେ ୮ଟି ପାଶ୍ୱର ଘଟ ସହ ପଟୁଆର ବାହାରିଥିଲା । ୮ଟି ପାଶ୍ୱ ଘଟକୁ ମଥାରେ ଧାରଣ କରିିଥିଲେ ସେନାପତିଙ୍କ ଧର୍ମପତ୍ନୀ ତଥା ଦେବାଙ୍ଗ ସଂପ୍ରଦାୟର ମହିଳାମାନେ ।
ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥାଏ, ମାଆ ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ସେହି କ୍ରମରେ ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଛି ଏହି ଯାତ୍ରା । ଅତୀତରେ ମହୁରୀଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ, ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରି ରାଜାଙ୍କ ନିମନ୍ତ୍ରଣ ପାଇ ସେଠାକୁ ଯାଇଥିଲେ । ଆଉ ସେତେବେଳେ ସେଠାରେ ଚାଲିଥିଲା ମାଆଙ୍କ ଏହି ମନ୍ତ୍ରମୁଗ୍ଧ ଘଟ ଯାତ୍ରା । ଯାହାକି ରାଜାଙ୍କୁ ବେଶ୍ ବିମୋହିତ କରିଥିଲା ।
ସେଠାକାର ରାଜାଙ୍କୁ ଅନୁରୋଧ କରି ସେହି ପରମ୍ପରାକୁ ନିଜ ଭୂଖଣ୍ଡରେ କରିବା ପାଇଁ ଚାହିଁଥିଲେ । ଏହା ପରେ ସେ ରାଜମହେନ୍ଦ୍ରିରେ ସେହି ଯାତ୍ରାକୁ ପରିଚାଳନା କରୁଥିବା ଦେବାଙ୍ଗ ସଂପ୍ରଦାୟର କିଛି ଲୋକଙ୍କୁ ନିଜ ସାଥୀରେ ଧରି ଆସିଥିଲେ । ଆଉ ବିଶ୍ୱାସ ରହିଛି ସେବେ ଠାରୁ ଏହି ଯାତ୍ରା ହୋଇ ଆସୁଛି । ଯେହେତୁ ମହୁରୀଗଡ଼ର ତତ୍କାଳୀନ ରାଜା ଏହି ଯାତ୍ରା ପରମ୍ପରାକୁ ଏଠାକୁ ଆଣିଥିଲେ ଏଣୁ ମାଆ ନିଜେ ମହୁରୀଗଡ଼ର ରାଜା ତଥା ନିଜର ମୁଖ୍ୟ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମହୁରୀଗଡ଼ର ରାଜବାଟୀକୁ ଯାଇଥାନ୍ତି ।
ଏହି ପରମ୍ପରା ଏବେ ବି ଅତୁଟ ରହିଛି । ନିଜ ଦାଣ୍ଡରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ମହୁରୀଗଡ଼ ରଜାଙ୍କ ଦାୟାଦ ନିଜକୁ ଧନ୍ୟ ମଣୁଛନ୍ତି । ଭକ୍ତ ଶ୍ରଦ୍ଧାଳୁ ମାନେ ମଧ୍ୟ ମା’ଙ୍କ ଦର୍ଶନ କରି ଆତ୍ମ ସନ୍ତୋଷ ଲଭୁଛନ୍ତି ।
ବ୍ରହ୍ମପୁରରେ ଏବେ ଚାଲିଛି ମାଆ ବୁଢ଼ି ସାଆନ୍ତାଣୀଙ୍କ ଏହି ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ବହୁ ପ୍ରାଚୀନ ଏହି ଯାତ୍ରା, ତଥାପି ସେହି ପରମ୍ପରା ସେହି ନୀତିକାନ୍ତିରେ ଏବେ ବି ଚାଲିଛି ଏହି ଯାତ୍ରା । ଯାତ୍ରାର ତୃତୀୟ ଦିବସ ରାତିରେ ମାଆ ଚାଙ୍ଗୁଡ଼ିରୁ ବାହାରି ଘଟରେ ପ୍ରବେଶ କରିଥିଲେ । ଏଣିକି ପ୍ରତି ସନ୍ଧ୍ୟାରେ ମାଆଙ୍କ ଘଟ ଯିବ ଭକ୍ତ ଶ୍ରଦ୍ଧାଳୁଙ୍କ ଦାଣ୍ଡକୁ । ଏଥି ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ମହଲରେ ଉତ୍ସାହ ଓ ଉଦ୍ଦିପନା ଦ୍ୱିଗୁଣିତ ହୋଇଥିବାର ଦେଖିବାକୁ ମିଳିଛି ।
ଆହୁରି ପଢନ୍ତୁ: ଦଣ୍ଡଯାତ୍ରା ପାଇଁ ଦୁଲୁକୁଛି ରୁମାଗଡ ଗାଁ ଦାଣ୍ଡ, ଦେଢ଼ଶହରୁ ଊର୍ଦ୍ଧ୍ଵ ବର୍ଷର ପରମ୍ପରା