ମା’ ଦକ୍ଷିଣକାଳୀଙ୍କ ତ୍ରୟ ଦିବସୀୟ ନବ କୁଣ୍ଡୀୟ ବିଶ୍ଵଶକ୍ତି ନାମଯଜ୍ଞ

ପୁରୀ: ଚାଲିଛି ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ । ହରି ନାମ ସାଙ୍ଗକୁ ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରିତ ହୋଇ ପଡ଼ିଛି ଉତ୍ସବ ସ୍ଥଳ । ପବିତ୍ର ହୋମ ନିଆଁରେ ସୃଷ୍ଟି ହୋଇଛି ଏକ ଭାବ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ । ବ୍ରାହ୍ମଣ ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଗ୍ରାମ କୋଠ ପକ୍ଷରୁ ଗ୍ରାମବାସୀ ଯଜ୍ଞ ସ୍ଥଳରେ ବସି ଆହୁତି ପ୍ରଦାନ କରୁଛନ୍ତି । ନଅ ଗୋଟି କୁଣ୍ଡରେ ବେଦ ଧ୍ୱନିରେ ଅଗ୍ନୀଦେବତାଙ୍କୁ ଆବାହନ କରାଯାଉଛି । ଏଭଳି ଏକ ଭକ୍ତି ପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀର ଗୋବିନ୍ଦପୁର ଗାଁରେ ।
ସେପଟେ ଗ୍ରାମର ଆରାଧ୍ୟ ମା’ ଦକ୍ଷିଣକାଳୀଙ୍କୁ ପୂଜକ ଭକ୍ତି ନିଜର ସମର୍ପଣ ଭାବରେ ପୂଜାର୍ଚ୍ଚନା କରିବା ସହିତ ଆଳତି କରାଯାଉଛି । ଏଭଳି ଅବସରରେ ମା’ ଙ୍କର ଭକ୍ତମାନେ ମା’ଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ ଦକ୍ଷିଣକାଳୀଙ୍କ ପୀଠରେ ଦକ୍ଷିଣକାଳୀଙ୍କ ତ୍ରୟ ଦିବସୀୟ ନବ କୁଣ୍ଡୀୟ ବିଶ୍ଵଶକ୍ତି ନାମଯଜ୍ଞ ପାଳନ କରାଯାଇଛି । ଏହା କରିବା ଦ୍ଵାରା ସଂସାରରେ ସୁଖ ଶାନ୍ତି ଏବଂ ସଂହତି ପ୍ରତିଷ୍ଠା ହୋଇ ପାରିବ ବୋଲି ଗ୍ରାମବାସୀ କହିଛନ୍ତି । ସେପଟେ ଯଜ୍ଞରେ ପୂର୍ଣ୍ଣାହୁତିରେ ପୁରୀ ଗଜପତିଙ୍କ ରାଜଗୁରୁ ଯୋଗ ଦେଇଥିଲେ ।
ପ୍ରତିବର୍ଷ ଠାକୁରଙ୍କର ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଥିବାବେଳେ କାଳୀପୂଜା ମା’ ଙ୍କର ବଡ଼ ପର୍ବ ହୋଇଥିବାବେଳେ ଅନ୍ୟତମ ପର୍ବ ହେଉଛି ଏହି ନବ କୁଣ୍ଡୀୟ ନାମ ଯଜ୍ଞ । ଦୀର୍ଘ ତିନିଦିନ ଧରି ଆୟୋଜିତ ହୋଇଥିଲା ଘୃତ ଯଜ୍ଞର ଆୟୋଜନ । ଗ୍ରାମବାସୀ ଗ୍ରାମ ଆରମ୍ଭରେ ଥିବା ପୁଷ୍ପରିଣୀରୁ ପାବନ ଜଳରୁ କଳସ ଉଠାଇଥିଲେ । କଳସ ଯାତ୍ରା ଆସିବା ସମୟରେ ଭିନ୍ନ ଏକ ପରିବେଶ ଦେଖିବାକୁ ମଳିଥିଲା ।
ସେପଟେ ଠାକୁରଙ୍କ ଯଜ୍ଞ ଉତ୍ସବ ଶେଷ ନ ହେବା ପର୍ଯ୍ୟନ୍ତ ଗାଁରେ ଆମିଷ ପ୍ରବେଶ ହୋଇ ନଥାଏ । ସମସ୍ତେ ହବିଷାନ୍ନ ଭକ୍ଷଣ କରି ରହିଥାନ୍ତି । ଏହି ଉତ୍ସବ ସେମାନଙ୍କର ମୂଖ୍ୟ ଉତ୍ସବ ବୋଲି ସେମାନେ କହିଥିବାବେଳେ ଏଥିରେ ସାମିଲ ହୋଇ ଭଗବାନଙ୍କ ସାନିଧ୍ୟ ପାଇବା ସହିତ ଭଗବତ ପ୍ରେମରେ ତଲିନ ହୋଇଥିବାର ଶ୍ରଦ୍ଧାଳୁମାନେ କହିଛନ୍ତି । ମା’ ଦକ୍ଷିଣକାଳୀଙ୍କ ପ୍ରତି ଭକ୍ତି ଭାବନା ହେଉ କି ଗାଁରେ ଭାଇଚାର ସହିତ ସ୍ନେହ ଆଉ ସମ୍ପର୍କର ଏକତା ଡୋରୀରେ ବାନ୍ଧି ରଖିବା ପାଇଁ କରାଯାଉଥିବା ଏପରି ଉତ୍ସବ ନିଶ୍ଚିତ ଭାବେ ସ୍ଵାଗତଯୋଗ୍ୟ ପଦକ୍ଷେପ ।
Also Read:ନୀଳାଦ୍ରି ଭକ୍ତ ନିବାସ ନାଁରେ ଠକେଇ, ୨ ସାଇବର ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ