ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଶରଧା ବାଲିରେ ଲାଗିଲେ ଦର୍ପଦଳନ, ତାଳଧ୍ୱଜ ଓ ନନ୍ଦିଘୋଷ ରଥ

ରଥଯାତ୍ରାରେ ବଡ଼ ଠାକୁର। ପୁରୀ ଶରଧାବାଲିରେ ପହଞ୍ଚିଲା ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦଘୋଷ। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ଆଜି ନିର୍ଦ୍ଧାରିତ ସମୟରେ ନୀତିକ୍ରାନ୍ତି ସରିବା ପରେ ରଥାରୁଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ତିନି ରଥକୁ ମହା ଆନନ୍ଦରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ। ବଡ଼ଦାଣ୍ଡରେ ଜଗାକୁ ପାଇ ଭକ୍ତ ନିଜକୁ ଭାବ ଓ ଭକ୍ତିରେ ହଜାଇ ଦେଇଥିଲେ। ଶରଧାବାଲି ଆଗରେ ରଥାରୁଢ଼ ଶ୍ରୀଜିଉ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବେ।
ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର। ଭାବ ଓ ଭକ୍ତିରେ ଉଛୁଳି ପଡୁଥିଲା ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ରଥ ଓ ପଥ ପ୍ରସ୍ତୁତ ରହିଥିଲା। ଭକ୍ତ ଚାହିଁଥିଲେ, କେତେବେଳେ ବଡ଼ ଦେଉଳୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନ ସହ ନୀତି ନିର୍ଘଣ୍ଟ ଆଗରୁ ଆରମ୍ଭ ହୋଇଥିଲା ଶ୍ରୀଜିଉମାନଙ୍କର ପହଣ୍ଡି। ପ୍ରଥମେ ଶ୍ରୀସୁଦର୍ଶନ ଆସିଥିଲେ। ତାଙ୍କ ପରେ ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନ ଛାଡ଼ି ବାହାରିଥିଲେ ବଡ଼ ଠାକୁର ଶ୍ରୀବଳଭଦ୍ର। ପରେ ପରେ ରଥାରୁଢ଼ ହୋଇଥିଲେ ଦେବୀ ସୁଭଦ୍ରା। ଶେଷରେ ବଡ଼ ଦେଉଳ ଛାଡ଼ି ଭକ୍ତଙ୍କ ଗହଣକୁ ଆସିଥିଲେ ଜଗତର ନାଥ ଜଗନ୍ନାଥ। ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଡେଇଁ କାଳିଆ ଠାକୁର ବିଜେ କରିଥିଲେ ବଡ଼ଦାଣ୍ଡକୁ। ରଥାରୁଢ଼ ହୋଇଥିଲେ।
ରଥ ଉପରେ ବିଭିନ୍ନ ରୀତିନୀତି କରାଯିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ ଶଙ୍କରାଚାର୍ୟ୍ୟ। ପରେ ପରେ ସୁବର୍ଣ୍ଣ ଖଡ଼ିକାରେ ଛେରା ପହଁରା କରିଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାପରେ ରଥଟଣା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଆରମ୍ଭ ହୋଇଥିଲା ରଥ ଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବେ ଶେଷରେ ଗଡ଼ିଥିଲା ଜଗାର ନନ୍ଦିଘୋଷ। ଚହଲି ଉଠିଥିଲା ଭକ୍ତିର ସାଗର ରୂପକ ବଡ଼ଦାଣ୍ଡ। ମହାଆନନ୍ଦରେ ତିନି ରଥକୁ ଗୁଣ୍ଡିଚା ବାଡ଼ି ଅଭିମୁଖେ ଟାଣି ନେଇଥିଲେ ଭକ୍ତ।
ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଅଭମୁଖେ ବାହାରିଛନ୍ତି ଶ୍ରୀଜିଉ। ରଥାରୁଢ଼ ମହାପ୍ରଭୁଙ୍କୁ ପାଖରେ ପାଇ ନିଜକୁ ଭାବରେ ଭିଜାଇ ଦେଇଛନ୍ତି ଭକ୍ତ। ବଡ଼ଦେଉଳରୁ ବଡ଼ଦାଣ୍ଡ। ରତ୍ନବେଦୀରୁ ଜନ୍ମଦେବୀ। ପତିତଜନଙ୍କୁ ଦର୍ଶନ ଦେବା ପାଇଁ ଭାଇଉଭଣୀଙ୍କୁ ସାଙ୍ଗରେ ଧରି ରଥଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର । ବଡ଼ଦାଣ୍ଡରେ ତିନି ଦିଅଁଙ୍କୁ ଦେଖି ଭକ୍ତି ଓ ଭାବରେ ଭିଜିଥିଲେ ଭକ୍ତ। ରଥ, ପଥ ହୋଇଥିଲା ଜଗନ୍ନାଥମୟ।
ବଡ଼ ଦେଉଳୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଲୀଳାମୟ ଠାକୁର। ଚକା ନୟନକୁ ଦେଖିବା ପାଇଁ ସାତ ଦରିଆ ଡେଇଁ ଶ୍ରୀକ୍ଷେତ୍ର ଛୁଟି ଆସିଛନ୍ତି ଭକ୍ତ। କିଏ କେତେ ଭାବ ଓ ଭଙ୍ଗୀରେ ଡାକୁଛନ୍ତି। ଗଡ଼ି ଯାଉଛନ୍ତି ବଡ଼ଦାଣ୍ଡରେ। ବୋହି ଯାଉଛି ଆନନ୍ଦାଶ୍ରୁ। ଚର୍ମ ନେତ୍ରରେ ମହାପ୍ରଭୁଙ୍କୁ ଦେଖି ଭକ୍ତିରେ ଗଦଗଦ ହୋଇ ପଡୁଛନ୍ତି ଶ୍ରଦ୍ଧାଳୁ।କିଏ ରଥ ଆଗରେ ନାଚି ନିଜ ମନ କଥା କହୁଛନ୍ତି ଜଗାକୁ। ପୁଣି କିଏ ଶିବ, ଜାମ୍ବମାନ, ହନୁମାନ ଆଦି ବେଶରେ ଆସିଛନ୍ତି। ରଥାରୁଢ଼ ଶ୍ରୀଜିଉଙ୍କୁ ବଡ଼ଦାଣ୍ଡରେ ଦେଖି ଭକ୍ତ ବିଭୋର। ନିଜକୁ କାଳିଆ ପ୍ରେମରେ ହଜେଇ ଦେଇଛନ୍ତି ବିଦେଶିନୀ।
ପୁରୀ ରଥଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା। ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ରଥଟଣା, ଭିଡ଼ ନିୟନ୍ତ୍ରଣ, କର୍ଡନ ବ୍ୟବସ୍ଥା ଓ ଭିଆଇପି ସୁରକ୍ଷା ପାଇଁ ୧୫୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ରଥର କର୍ଡନ ଚାରିପାଖେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କର୍ଡନ ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ରାପିଡ୍ ଆକ୍ସନ ଫୋର୍ସ ସହାୟତାରେ କର୍ଡନ ନିୟନ୍ତ୍ରଣ କରିଥିଲେ । କେନ୍ଦ୍ରରୁ ଆସିଥିବା ରାପିଡ୍ ଆକ୍ସନ ଫୋର୍ସ ସହ ଓଡିଶା ସୁଇଫ୍ଟ ଆକ୍ସନ ଫୋର୍ସ, ଏସ୍ଓଜି ଯବାନ ଓ ପୋଲିସ ବାହିନୀ ଭିଡ଼ ନିୟନ୍ତ୍ରଣ କରିଥିଲେ । ସେହିପରି ସହର ଭିତରେ ବମ୍ ଡିସପୋଜାଲ ସ୍କ୍ଵାଡ, କ୍ୱିକ୍ ଆକ୍ସନ ଟିମ୍ , ସନ୍ଧାନୀ କୁକୁର ଓ ପୋଲିସ ମୁତୟନ ହୋଇଥିଲେ ।
ପତିତଜନଙ୍କୁ ଉଦ୍ଧାର କରିବା ପାଇଁ ରଥଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।
ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ। ସପତ୍ନୀକ ମାହପ୍ରଭୁଙ୍କ ଦର୍ଶନ କରିବ ସହ ଆଶୀର୍ବାଦ କାମନା କରିଛନ୍ତି। ରାଜ୍ୟବାସୀଙ୍କ ମଙ୍ଗଳ ମନାସୀଛନ୍ତି ରାଜ୍ୟପାଳ। ସେହିପରି ମୁଖ୍ୟମନ୍ତ୍ରୀ ବି ଯାଇଥିଲେ ପୁରୀ। ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ବହୁ ସାଂସଦ ଓ ବିଧାୟକ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇଥିଲେ।