ଆସନ୍ତାକାଲି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ସମ୍ମୁଖରେ ତିନିରଥ

ପୁରୀ(କେନ୍ୟୁଜ୍): ଆସନ୍ତାକାଲି ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଆସିଛି ତିନି ରଥ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧଜ୍ୱ ସିଂହଦ୍ୱାର ଆଗରେ ଲାଗିଛନ୍ତି। ଏହାପୂର୍ବରୁ ତିନି ରଥରେ ବିଜେ ହୋଇଥିଲା ଆଜ୍ଞାମାଳ। ତିନିଜଣ ମୁଖ୍ୟ ପୂଜା ପଣ୍ଡା ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇଥିଲେ। ତିନି ରଥକୁ ବିଶ୍ୱକର୍ମା ଆଜ୍ଞାମାଳ ନେଇ ପ୍ରଦକ୍ଷିଣ କରିଥିଲେ। ଚଳିତବର୍ଷ ନବଯୌବନ ବେଶ ପରଦିନ ରଥଯାତ୍ରା ନହୋଇ ଗୋଟିଏ ଦିନ କ୍ଷୟ ରହିଥିବାରୁ ଆଜି ଉଭାଯାତ୍ରା ଅନୁଷ୍ଠିତ ହେଉଛି। ରଥଯାତ୍ରା ପାଇଁ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର। ଆସିଲେଣି ଭକ୍ତ। ସେପଟେ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରାରେ ପୁରୀରେ ୧୫୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯିବ।