ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଦିନର ରହିଛି ବିଶେଷ ମହତ୍ୱ

ପୁରୀ: ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରେ ପ୍ରଭୁ ଶ୍ରୀଲୋକନାଥ ହେଉଛନ୍ତି ଅନ୍ୟତମ । ପୁରୀ ଅଗ୍ରଭାଗରେ ସେ ବିରାଜମାନ କରି ଜଗତର କଲ୍ୟାଣ ସାଧନ କରୁଛନ୍ତି । ଶିବଙ୍କର ନାମଗୁଡ଼ିକ ମଧ୍ୟରୁ ଶ୍ରୀଲୋକନାଥ ଅନ୍ୟତମ ।

ତେବେ ଆଜି ସୋମବାର ପ୍ରଭୁ ଲୋକନାଥଙ୍କ ପବିତ୍ର ପଙ୍କୋଧାର ଏକାଦଶୀ ।  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଦିନର ରହିଛି ବିଶେଷ ମହତ୍ୱ । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ଆଜି ବିଳମ୍ବିତ ରାତି ୧୨ଟା ୩୦ ମିନିଟରେ ଦ୍ୱାରଫିଟା ହେବାପରେ ମଙ୍ଗଳ ଆଳତୀ, ଅବକାଶ ହୋଇ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ପରେ  ମନ୍ଦିର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ , ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯାଇଛି ।

ପରେ ମାଘ ସ୍ନାନ କରାଯିବା ପରେ ଆରମ୍ଭ ହେଇଛି ସର୍ବସାଧାରଣ ଦର୍ଶନ । ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତକ୍ଷ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିବାର ସୁଯୋଗ ପାଉଛନ୍ତି ।  ସେପଟେ ବାବାଙ୍କ ଗମ୍ଭୀରାରୁ ବାହାରିଥିବା ପଙ୍କକୁ ଦେହରେ ଲଗାଇଲେ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଥିବାବେଳେ ସ୍ପଷ୍ଟ ଭାବରେ ପ୍ରତକ୍ଷ୍ୟ ବାବାଙ୍କ ଲିଙ୍ଗକୁ ଦର୍ଶନ କରି ଭକ୍ତମାନେ କୃତାର୍ଥ ।

ସେପଟେ ଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ଭିଡକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ତରଫରୁ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୫ ଜଣ ଡିଏସପି, ୧୫ ଜଣ ଇନସ୍ପେକଟର, ୪୧ ଜଣ ଏସଆଇ/ଏଏସଆଇ, ୭୨ ଜଣ ହାବିଲଦାର/କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ଓ ୧ ସେକ୍ସନ ଫୋର୍ସ ନିୟୋଜିତ ରହିଛନ୍ତି ।

ଏପଟେ ସୂଚନା ଅନୁଯାୟୀ ପ୍ରାୟ ୪,୦୦୦ ସ୍ୱତନ୍ତ୍ର ଦର୍ଶନ ଟିକଟ୍‌ କରାଯାଇଛି । ପ୍ରତ୍ୟେକ ଟିକଟର ଦାମ୍‌ ୧୦୦ଟଙ୍କା ରହିଛି । ଦର୍ଶନ ଟିକଟଧାରୀ ମାଆ ପାର୍ବତୀଙ୍କ ମନ୍ଦିର ଦେଇ ନାଟାମ୍ବର ବୃଷଭ ବଖରା ବାଟେ ଗମ୍ଭୀରାକୁ ଦର୍ଶନ ପାଇଁ ଯିବେ । ଦର୍ଶନ ସାରି ବଉଳଗଛ ଦ୍ୱାର ଦେଇ ବାହାରିବେ । ସେବାୟତ ପରିବାର ସଦସ୍ୟ ବାଙ୍କ ଖିଲଣ ଦ୍ୱାର ଦେଇ ଜାଲି ଗେଟ୍‌ରେ ପ୍ରବେଶ କରି ହରିହର ପାଖ ଦେଇ ଗମ୍ଭୀରାକୁ ପ୍ରବେଶ କରିବେ । ଦର୍ଶନ ପରେ ବଉଳ ଗଛ ଦେଇ ବାହାରକୁ ବାହାରିବେ । ସେହିପରି ସର୍ବସାଧାରଣ ଭକ୍ତ ଲକ୍ଷ୍ମୀଙ୍କ ଦ୍ୱାରରେ ପ୍ରବେଶ କରି ଗମ୍ଭୀରାରେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରି ବଉଳ ଗଛ ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ବ୍ୟବସ୍ଥା ହୋଇଛି ।

ତେବେ ଆଜି ହଜାର ହଜାର ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁ ମାନେ ବାବା ଲୋକନାଥଙ୍କୁ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ଆଉ ଗୋଟିଏ ଦିନ ପରେ ମହା ଶିବରାତ୍ରି ଅନୁଷ୍ଠିତ ହେବ ଏନେଇ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି ।

Also read: ପ୍ରଭୁ ଗୋପୀନାଥଙ୍କର ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏବଂ ମହାଯଜ୍ଞ ଅନୁଷ୍ଠିତ