ଆଜି ପଖାଳ ଦିବସ : ଘରେ ନିଅନ୍ତୁ ଏହି ପାରମ୍ପରିକ ଖାଦ୍ୟର ଆନନ୍ଦ

ଆସ ଜୀବନ ଧନ ମୋର ପଖାଳ କଂସା । ଓଡ଼ିଶା ପରମ୍ପରା ଏବଂ ଓଡ଼ିଆ ଚଳଣୀରେ ଏହି ଲୋକ ଗୀତଟି ଓଡ଼ିଆ ଜୀବନରେ ପଖାଳ କଂସାର ବେଶ୍‌ ମହତ୍ତ୍ୱ ପ୍ରତିପାଦିତ କରେ । ଶୀତ ହେଉ ବା ଖରା ଓଡ଼ିଆଣୀର ହାଣ୍ଡିରେ ପଖାଳ ମୁଠାଏ ରହିଥାଏ ନିଶ୍ଚୟ । ଏହାକୁ ଖାଇ ପ୍ରତିଟି ଓଡ଼ିଆ ଯେଉଁ ଆତ୍ମ ତୃପ୍ତି ପାଏ ତାହାର ବର୍ଣ୍ଣନା ନାହିଁ । ଓଡ଼ିଆ ଘରର ଏହି ପଖାଳ କେବଳ ଓଡ଼ିଶାରେ ନୁହେଁ ବିଭିନ୍ନ ରାଜ୍ୟ ଓ ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଅନ୍ୟ ରାଜ୍ୟ ବଙ୍ଗଳାରେ ପଖାଳ କୁ ‘ପାନ୍‌ତା ଭାତ’ କୁହାଯାଉଥିବା ବେଳେ ଛତିଶଗଡ଼ରେ ‘ପାନି ଭାତ’,ଆସାମରେ ‘ପୋଇତା ଭାତ’ ଓ ତାମିଲନାଡୁରେ ପଖାଳକୁ ‘ପେଜେଧୁ ସାଧମ’ ବୋଲି କୁହାଯାଇଥାଏ ।

pakhal
photo credit: medium

ଆଜି ହେଉଛି ପଖାଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଓଡ଼ିଆ ଘରର ଏହା ପ୍ରମୁଖ ପାରମ୍ପରିକ ଖାଦ୍ୟ ଅଟେ। ଯାହାର ମଜା ଏବେ ବିଶ୍ୱ ଦରବାରରେ ସମସ୍ତେ ଉଠାଉଛନ୍ତି। ପଖାଳ ନାଁ ଶୁଣିଲେ ସମସ୍ତଙ୍କ ମନରେ ଖୁସି ଭରିଯାଏ। ମନ ସାଙ୍ଗକୁ ପେଟକୁ ମଧ୍ୟ ଏହା ରିଲାକ୍ସ କରିଦିଏ । ଓଡ଼ିଆମାନଙ୍କ ମନପ୍ରାଣରେ ପଖାଳର ସ୍ଥାନ ରହିଛି ସ୍ୱତନ୍ତ୍ର।

ତେବେ ପଖାଳକୁ ତିଆରି କରିବା ଖୁବ ସହଜ। ଭାତରେ ପାଣି ସହ ସେଥିରେ ଦହି ମିଶାଇ ପଖାଳ କରିପାରିବେ । ତେବେ ଛୁଙ୍କ ପଖାଳର ସୁଆଦ ବଡ଼ ନିଆରା । ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତ୍ତା, ମାଛ ଭଜା, ଶାଗ ଭଜା, ଚିଙ୍ଗୁଡି ଛେଚା, ବିଭିନ୍ନ ଚିପ୍ସ ପଖାଳର ସୁଆଦକୁ ବହୁଗୁଣ ବଢ଼ାଇ ଦେଇଥାଏ । ଏବେ ବହୁ ତାରକା ହୋଟେଲରେ ମଧ୍ୟ ପଖାଳ ସାଙ୍ଗକୁ ଭଳିକି ଭଳି ଓଡିଆ ଆଇଟମ ମିଳିଲାଣି ।

pakhal

ଯାହାକୁ ଖାଇବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଥିବା ଦେଖାଯାଇଛି । ତେବେ ଘରେ ତଳେ ବସି ମା’ ହାତର ପଖାଳ ଖାଇବାରେ ଯେଉଁ ଶ୍ରଦ୍ଧା ଭରି ରିହଥାଏ ତା’ର କଥା ବର୍ଣ୍ଣନା କରିହେବ ନାହିଁ । ପଖାଳ ସହଜରେ ଖୁବ କମ ସମୟ ମଧ୍ୟ ତିଆରି ହୋଇଯାଏ । ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଶରୀର ପାଇଁ ପଖାଳ ବେଶ ଲାଭଦାୟକ ହୋଇଥାଏ ।

pakhal

ବିଜ୍ଞାନ ଅନୁଯାୟୀ, ୧୦୦ ଗ୍ରାମ ଭାତରେ ୩.୪ ମିଲି ଗ୍ରାମ ଆଇରନ୍‌ ଥିବାବେଳେ ସେତିକି ମାତ୍ରାର ପଖାଳରେ ୭୩.୯୧ ମିଲି ଗ୍ରାମ ଆଇରନ୍‌, ୩୦୩ ମିଗ୍ରା ସୋଡିୟମ୍‌, ୮୩୯ ମିଗ୍ରା ପୋଟାସିୟମ୍‌ ଓ ୨୧ ମିଗ୍ରା କ୍ୟାଲ୍‌ସିୟମ୍‌ ରହିଥାଏ । ଖାଲି ସେତିକି ନୁହେଁ ପଖାଳ ଶରୀରକୁ ସ୍ଲିମ ରଖିଥାଏ । କାରଣ ଭାତ ତୁଳନାରେ ପଖାଳରେ ୬୦ % କ୍ୟାଲୋରୀ କମ୍‌ ଥାଏ ।

ଏହା ଶରୀରକୁ ଥଣ୍ଡା ରଖି ଭଲ ନିଦ ଦେବା ସହ ହଜମ କ୍ରିୟାକୁ ମଜଭୁତ କରିଥାଏ । ଆସନ୍ତୁ ଆଜିର ପଖାଳ ଦିବସରେ ସମସ୍ତେ ପଖାଳର ମଜା ନେବା । ନିଜେ ଖାଇବା ଓ ଅନ୍ୟଙ୍କୁ ଖୁଆଇବା ସହ ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ ରଖିବା ।