ସରିଲା ତେର ଦିନ ଧରି ଚାଲିଥିବା ମା ଦକ୍ଷିଣ କାଳୀଙ୍କ ପାରମ୍ପରିକ ଦଣ୍ଡଯାତ୍ରା

କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ମେରୁଯାତ୍ରା ସହ ସରିଛି ମା ଦକ୍ଷିଣ କାଳୀଙ୍କ ପାରମ୍ପରିକ ଦଣ୍ଡଯାତ୍ରା l ଭକ୍ତି ଓ ବିଶ୍ୱାସର ଅନନ୍ୟ ପ୍ରତୀକ ଭାବେ ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଛି ଶ୍ରୀ ଶ୍ରୀ ମା ଦକ୍ଷିଣ କାଳୀଙ୍କ ଏହି ପାରମ୍ପରିକ ମେରୁ ଯାତ୍ରା l ଶିବ ଶକ୍ତିଙ୍କ ଉପାସନା ସହ ଆଜକୁ ୧୦୪ ବର୍ଷ ହେବ ପ୍ରତି ବର୍ଷ ଚୈତ୍ର ମାସରେ ପାରମ୍ପରିକ ଦଣ୍ଡ ଯାତ୍ରାକୁ ମହାଆଡମ୍ବର ସହ ଅତି ନିଷ୍ଠା ଓ ଭକ୍ତି ସହ ପାଳନ କରିଆସୁଛନ୍ତି ମାନସିକଧାରୀ ଓ ଶ୍ରଦ୍ଧାଳୁ l

ବାଲିଗୁଡାର ଆରାଧ୍ୟା ଦେବୀ ମା ଦକ୍ଷିଣ କାଳୀ ଓ ପ୍ରଭୁ ବିରୁପାକ୍ଷ୍ୟେଶ୍ଵରଙ୍କ ଏହି ଦଣ୍ଡ ଯାତ୍ରା ଉପଲକ୍ଷେ ପ୍ରତି ବର୍ଷ ମୀନ ସଂକ୍ରାନ୍ତି ଠାରୁ ଆରମ୍ଭ କରି ମେଷ ସଂକ୍ରାନ୍ତି ଯାଇଁ ଦୀର୍ଘ ଏକ ମାସ ଧରି ସମସ୍ତ କର୍ମକର୍ତ୍ତା ଓ ଉପାସୁଆ ବ୍ରତ ରଖିଥାନ୍ତି l ମାତୃ ହରଣ ଦୋଷରୁ ମୁକ୍ତି ପାଇବା ପାଇଁ ରୁଷି ପୁତ୍ର ମାନେ ତେର ଦିନ ଧରି କରିଥିବା ବ୍ରତ ଅନୁଯାଇ ମା ଦକ୍ଷିଣ କାଳୀଙ୍କ ଏହି ଦଣ୍ଡଯାତ୍ରା ମଧ୍ୟ ବାଲିଗୁଡା ରେ ତେର ଦିନ ଧରି ପାଳିତ ହୋଇଥାଏ l ପ୍ରତି ବର୍ଷ ଏପ୍ରିଲ ମାସ ଏକ ତାରିଖ ଦିନ ସନ୍ଧ୍ୟା ସମୟରେ ଏକବାର ପାଳନ ଅବସରରେ ଶ୍ରୀ ମା କାଳୀଙ୍କ ଆବିର୍ଭାବ ନେଇ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଏ l ମା ଙ୍କ ଆବାହନ ନେଇ ପୂଜାର୍ଚ୍ଚନା ପରେ ମା କାଳୀଙ୍କ ଆବିର୍ଭାବ ହୋଇ ଦଣ୍ଡ ଉଠିବା ପରେ ତେର ଦିନ ଧରି ଏହି ଦଣ୍ଡ ଯାତ୍ରାକୁ ପାଳନ କରାଯାଇଥାଏ l ତେବେ ମା କାଳୀଙ୍କ ଉପାସନା ସହ ମାନସିକ ରଖିଥିବା ଉପାସୁଆ ମାନେ ତେର ଦିନ ଧରି ଦଣ୍ଡ ଯାତ୍ରାରେ ଅତି ନିଷ୍ଠା ର ସହ ବ୍ରତ ପାଳନ କରିଥାନ୍ତି l

ଦଣ୍ଡଯାତ୍ରାର ଅନ୍ତିମ ଅର୍ଥାତ ମେରୁ ଯାତ୍ରା ଦିନ ଝାମୁ ମଣ୍ଡପରେ ପାଟଭୁକ୍ତାଙ୍କୁ ଅଗ୍ନିଝାସ ଦେବା ପରେ ଏହି ବ୍ରତ ଭାଙ୍ଗିବା ସହ ଦଣ୍ଡଯାତ୍ରା ଉଦଯାପିତ ହୁଏ l ତେର ଦିନ ଧରି ମହାଆଡମ୍ବର ସହ ଦଣ୍ଡଯାତ୍ରା ପାଳନ ହେଉଥିବା ବେଳେ ମାସନ୍ତରେ ଏହି ମେରୁ ଯାତ୍ରା ପାଳନ ହୋଇ ଦଣ୍ଡଯାତ୍ରା ର ସମାପନ ହୋଇଥାଏ l ମେରୁ ଦିନ ଶ୍ରୀ ଶ୍ରୀ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ପରିସରରେ ଷୋହଳ ଦଣ୍ଡ ପରେ ଜଳ ଦଣ୍ଡ, ବାଲୁକା ପୂଜା ପରେ ହଜାର ହଜାର ଦଣ୍ଡୁଆ, ମାନସିକଧାରୀଙ୍କ ସହ ମେରୁ ମଣ୍ଡପ କୁ ଆସିଥିଲେ ମା ଦକ୍ଷିଣ କାଳୀ l ରୁଷିପୁତ୍ର ମାନେ ତେର ଦିନ ଧରି କରିଥିବା ତପସ୍ୟାର ଫଳ ପାଇବା ପାଇଁ ମେରୁ ଯାତ୍ରା ଦିନ ପାଟଭୁକ୍ତାଙ୍କୁ ଅଘୋର ତୋପ କରିବାକୁ ପଡେ l ଦୁଇଟି ବେଲ କାଠ ରେ ନିର୍ମିତ ଖୁଣ୍ଟି ରେ ଅଖ ଅରଟ ରେ ତଳକୁ ମୁଣ୍ଡ କରି ପାଟଭୁକ୍ତା ଙ୍କୁ ଝୁଲାଯାଇଥାଏ l ବେଲ ଖୁଣ୍ଟି ରେ ଝୁଲାଇ ଦିଆଯିବା ପରେ ତଳେ ଥିବା ଅଗ୍ନିକୁଣ୍ଡ ରେ ଝୁଣା ଦେଇ ପାଟଭୁକ୍ତାଙ୍କୁ ଅଗ୍ନିଝାସ ଦିଆଯାଇଥାଏ l

ତେବେ ମେରୁ ଘରେ ଝାମୁ ମଣ୍ଡପ ରେ ବେଲ କାଠ ରେ ତିଆରି ମଣିଖୁଣ୍ଟି ରେ ପାଟଭୁକ୍ତାଙ୍କୁ ଝୁଲାଇ ଅଗ୍ନିଝାସ ଦେବା ପରେ ହିଁ ତେର ଦିନ ଧରି ଚାଲିଥିବା ଦଣ୍ଡ ଯାତ୍ରାର ଏହି ବ୍ରତ ସମାପନ ହୋଇଥାଏ l ଏଥିସହ ଝାମୁ ମଣ୍ଡପ ରେ ମଣିଖୁଣ୍ଟି ରେ ଲାଗିଥିବା ଆମ୍ବ, ଖଜୁରୀ କୋଳି ଭଳି ବନ୍ଧା ଯାଇଥିବା ବିଭିନ୍ନ ଫଳକୁ ପାଟଭୁକ୍ତା ନିଜ ହସ୍ତ ରେ ଶ୍ରଦ୍ଧାଳୁଙ୍କୁ ଦେଇଥାନ୍ତି l ବିଶ୍ୱାସ ରହିଛି ଯିଏ ବି ଏହି ସବୁ ଫଳକୁ ପାଇଥାନ୍ତି ରଖିଥିବା ସମସ୍ତ ମାନସିକ ମଧ୍ୟ ନିଜର ପୂରଣ ହୋଇଥାଏ l ଏହି ମେରୁ ଯାତ୍ରା କାର୍ଯ୍ୟ ସମ୍ପନ୍ନ ପରେ ମାନସିକଧାରୀଙ୍କ ତେର ଦିନର ବ୍ରତ ଭାଙ୍ଗିବା ପରେ ସେମାନେ ନିଜ ନିଜ ଘରକୁ ଫେରିଥାନ୍ତି l ଏଥିସହ ମା ମଧ୍ୟ ଗୁପ୍ତସହକାରେ ନିଜ ମନ୍ଦିର ରେ ପ୍ରବେଶ କରିଥାନ୍ତି l

ତେବେ ବାଲିଗୁଡାର ଶ୍ରୀ ମା ଦକ୍ଷିଣ କାଳୀଙ୍କ ସର୍ବପୁରାତନ ଏହି ମେରୁଯାତ୍ରା ହଜାର ହଜାର ଭକ୍ତ, କାମନାକାରୀଙ୍କ ମଧ୍ୟରେ ବେଶ ଧୂମଧାମରେ ପାଳିତ ହୋଇଅଛି l ଏହି ମେରୁ ଯାତ୍ରା କୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା l ଶ୍ରୀ ଶ୍ରୀ ମା ରୁଦ୍ର କାଳୀଙ୍କ ନାମ ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ l ଭକ୍ତିମୟ ପରିଵେଶ ସାଙ୍ଗକୁ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଭାବ ବିହ୍ଵଳ ହୋଇଥିଲେ ସମସ୍ତ ଭକ୍ତ ବୃନ୍ଦ l ମେରୁ ଯାତ୍ରାର ଝାମୁ ମଣ୍ଡପ ରେ ଅଗ୍ନିକୁଣ୍ଡ ରେ ପାଟଭୁକ୍ତାଙ୍କୁ ଅଗ୍ନିଝାସ ପରେ ଦଣ୍ଡ ଯାତ୍ରା ସମାପନ ପରେ ମା ଙ୍କ ନିଜ ମନ୍ଦିର କୁ ବିଜେ ନେଇ ଭାବ ବିହ୍ଵଳ ହୋଇଥିଲେ କାମନାକାରୀ ଓ ଶ୍ରଦ୍ଧାଳୁ l ଦଣ୍ଡଯାତ୍ରା ପାଳନ ଅବସରରେ ମା ଙ୍କୁ ବାହାରେ ତେର ଦିନ ଧରି ପୂଜାର୍ଚନା କରିବା ର ସୁଯୋଗ ସହ ଦର୍ଶନ ଭଳି ଦିବ୍ୟ ଅନୁଭୂତି ଓ ଭକ୍ତ ଓ ମା ଙ୍କ ମଧ୍ୟରେ ମିଳନ ପାଇଁ ଅପେକ୍ଷା ପୁଣି ଥରେ ଏକ ବର୍ଷକୁ ନେଇ ବେଶ ଦୁଃଖ ରେ ଭାଙ୍ଗି ପଡ଼ିଥିଲେ ହଜାର ହଜାର ଭକ୍ତଗଣ l

Also Read:ମହାକାଶରୁ ଫେରିଲେ ବ୍ଲୁ ଅରିଜିନ ଅଲ ୱିମେନ କ୍ରିଉ, ମହାକାଶରେ ରହିଲେ ୧୦ ମିନିଟ ୨୧ ସେକେଣ୍ଡ