ମହା ବିଷୁବ ସଂକ୍ରାନ୍ତିରେ ଉଦଯାପିତ ହେଲା ଆଠମଲ୍ଲିକର ପାରମ୍ପରିକ ଲୋକନୃତ୍ୟ ଦଣ୍ଡ ପର୍ବ

ଓଡିଶାର ବିଭିନ୍ନ ଅଞ୍ଚଳରେ ହେଉଥିବା ଦଣ୍ଡ ନୃତ୍ୟ ମଧ୍ୟରେ ଆଠମଲ୍ଲିକର ଦଣ୍ଡ ନୃତ୍ୟର ବିଶେଷ ଆକର୍ଷଣ ରହିଛି । ଏହି ନୃତ୍ୟ ସହିତ ଯୋଡ଼ି ହୋଇଥିବା ଶୈଳୀ ଓ ସଂଗୀତର ନିଜସ୍ୱ ସ୍ୱାତନ୍ତ୍ର୍ୟ ରହିଛି । ଏହା ଏକ ଶାରୀରିକ ନୃତ୍ୟ କୌଶଳ ହେଲେ ହେଁ ଏଥିରେ ଧର୍ମ ଧାରଣା ଓ ସାମାଜିକ ସାଂସ୍କୃତିକ ଦୃଷ୍ଟିଭଙ୍ଗୀ ଅନ୍ତରଙ୍ଗ ଭାବେ ଜଡିତ । ଶିବ ପୁରାଣର ଶୈବ ଚନ୍ଦ୍ରିକାର କଥାବସ୍ତୁକୁ ଆଧାର କରି ଦଣ୍ଡ ନୃତ୍ୟ ସୃଷ୍ଟି ହୋଇଛି ବୋଲି କୁହାଯାଏ । ଗଡଜାତ ଅମଳରୁ ଆଠମଲ୍ଲିକରେ ପ୍ରଚଳିତ ପାରମ୍ପରିକ ଲୋକନୃତ୍ୟ ଦଣ୍ଡ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଯାଇଛି ।
ବିଷୁବ ସଂକ୍ରାନ୍ତିର ଅବ୍ୟବହିତ ପୂର୍ବରୁ ୧୩, ୧୭ କିମ୍ବା ୨୧ ଦିନ ପୂର୍ବରୁ ଦଣ୍ଡ ପର୍ବ ଆରମ୍ଭ ହୋଇଥାଏ । ଶୈବ ଉପାସକମାନେ ଦେବ ଦେବ ମହାଦେବ, ମା ପାର୍ବତୀ ଏବଂ ମା କାଳୀଙ୍କୁ ମନ୍ଦିରରୁ ଆବାହନ କରି ବିଭିନ୍ନ ଗାଁ ଅଭିମୁଖେ ଯାତ୍ରା କରିଥାନ୍ତି । ମାନସିକଧାରୀମାନଙ୍କ ଦାଣ୍ଡ ଦୁଆରେ ପହଞ୍ଚି ବନ୍ଦାଣ ଘେନିଥାନ୍ତି ଏବଂ ଅପରାହ୍ନରେ ଧୂଳି ଦଣ୍ଡ, ସନ୍ଧ୍ୟାରେ ପାଣି ସେବା ଏବଂ ରାତ୍ରିରେ ଷୋହଳ ସୁଆଙ୍ଗ ମାଧ୍ୟମରେ ନୃତ୍ୟ ଗୀତ ପରିବେଷଣ ହୋଇଥାଏ । ପାଣି ଦଣ୍ଡ ବିଶେଷ ଭାବରେ କୃଷିଭିତ୍ତିକ । ଏଥିରେ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ପ୍ରତୀକାତ୍ମକ ଭାବରେ ବିଭିନ୍ନ କୌଶଳ କ୍ରମରେ ନୃତ୍ୟ ପରିବେଷଣ ହୋଇଥାଏ ।
ସେହିପରି ରାତ୍ରି କାଳରେ ଷୋହଳ ସୁଆଙ୍ଗ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ସେଥି ମଧ୍ୟରେ ଝୁଣା ଖେଳ, ପରଭା, ଶିବ ପାର୍ବତୀ, ଚଢ଼େୟା-ଚଢ଼େୟାଣୀ, ଶବର- ଶବରୁଣୀ, ପତରସଉରା – ସୌରାଣୀ ଏବଂ ବିଣାକାର ଚରିତ୍ରରେ ନୃତ୍ୟ କୌଶଳ ବେଶ ଆକର୍ଷଣୀୟ । ଏହା ବ୍ୟତୀତ ସାମାଜିକ ଚଳଣି ଏବଂ ପରମ୍ପରାକୁ ଆଧାର କରି ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବେଶ ଆମୋଦିତ କରିଥାଏ ।
ଚଳିତ ବର୍ଷ ଆଠମଲ୍ଲିକର ବିଭିନ୍ନ ଶୈବ ପୀଠରୁ ଶିବ ପାର୍ବତୀ ଏବଂ ମା’ କାଳୀ ମନ୍ଦିରରୁ ବାହାରି ବିଭିନ୍ନ ଗାଁରେ ଥିବା ଭକ୍ତ ଉପାସକମାନଙ୍କୁ ଦର୍ଶନ ଦେବା ସହିତ ଦଣ୍ଡ ପର୍ବରେ ସାମିଲ ହୋଇଥିବା ଶିବ ଭକ୍ତମାନେ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ । ଆଠମଲ୍ଲିକ ସହରର ରାମେଶ୍ୱର ପାଟଣାରେ ଥିବା ଶୈବ ପୀଠରେ ଗଡ଼ୁଆ ଦଣ୍ଡ, ଲିପିଲୋଈ ଗ୍ରାମ ସ୍ଥିତ ବାବା ଧବଳେଶ୍ୱର ଦଣ୍ଡ ଏବଂ ବଘୁଆକଟା ଗ୍ରାମ ସ୍ଥିତ ବାବା ଭୁବନେଶ୍ୱର ଦଣ୍ଡ ମହା ବିଷୁବ ସଂକ୍ରାନ୍ତି ଅବସରରେ ଉଦଯାପିତ ହୋଇ ଯାଇଛି । ଭକ୍ତି ବିଶ୍ବାସର ନିଆରା ଯାତ୍ରା ଦଣ୍ଡଯାତ୍ରା । ମାନସିକଧାରୀ ଏହି ଯାତ୍ରାରେ ସାମିଲ ହେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ଦଣ୍ଡଯାତ୍ରାକୁ ନେଇ ଆଠମଲ୍ଲିକରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।