ଆରମ୍ଭ ହୋଇଛି ମା’ ବ୍ରାହ୍ମଣ ଦେବୀଙ୍କ ପାରମ୍ପରିକ ଯାତ୍ରା, ଦେଖିବା ପାଇଁ ଗାଁ ଦାଣ୍ଡରେ ଏକଜୁଟ ହେଲେ ଲୋକେ

ଗଞ୍ଜାମ ଜିଲ୍ଲା ଭଂଜନଗର ସହର ସ୍ଥିତ ଭେଜିପୁଟ ଠାରେ ମା' ବ୍ରାହ୍ମଣ ଦେବୀଙ୍କ ପାରମ୍ପରିକ ଯାତ୍ରା ଆରମ୍ଭ ହୋଇଛି । ୨୧ ଦିନ ଧରି ହେବାକୁ ଥିବା ମା'ଙ୍କ ଯାତ୍ରା ଜୁନ୍ ୯ ତାରିଖରେ ଉଦଯାପିତ ହେବ ।

ଗଞ୍ଜାମ(କେନ୍ୟୁଜ): ଓଡ଼ିଶାରେ ବିଭିନ୍ନ ସ୍ଥାନରେ ରହିଛି ଭିନ୍ନ ଭିନ୍ନ ପର୍ବ ପର୍ବାଣୀ । ବର୍ଷକ ୧୨ ମାସରେ ଓଡ଼ିଶାର ଗାଁ ଗାଁରେ ଦେଖିବାକୁ ମିଳେ ୧୩ ପର୍ବ । ଏହି ପର୍ବ ପାଇଁ ଗାଁ ଦାଣ୍ଡ ସଜେଇ ହୋଇ ଉଠେ । ପର୍ବ ପର୍ବାଣୀ ଆସିଲେ ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ଼ ଜମେ । ସମାନ ଭାବେ ଗଞ୍ଜାମ ଜିଲ୍ଲା ଭଂଜନଗର ସହର ସ୍ଥିତ ଭେଜିପୁଟ ଠାରେ ମା’ ବ୍ରାହ୍ମଣ ଦେବୀଙ୍କ ପାରମ୍ପରିକ ଯାତ୍ରା ଆରମ୍ଭ ହୋଇଛି । ୨୧ ଦିନ ଧରି ହେବାକୁ ଥିବା ମା’ଙ୍କ ଯାତ୍ରା ଜୁନ୍ ୯ ତାରିଖରେ ଉଦଯାପିତ ହେବ । ମା’ଙ୍କ ଏହି ଯାତ୍ରା ପାଇଁ ସୁସଜ୍ଜିତ ଢଙ୍ଗରେ ଗାଁକୁ ସଜା ଯାଇଥିଲା । ମୃଦଙ୍ଗର ତାଳେ ତାଳେ ଯାତ୍ରାରେ ବାହାରିଥିଲେ ଗାଁ ଲୋକେ । ମହୁରୀ ସାଙ୍ଗକୁ ଢ଼ୋଲ ଶବ୍ଦରେ କମ୍ପି ଉଠିଥିଲା ଗାଁ ଦାଣ୍ଡ । ଲୋକମାନେ ବିଭିନ୍ନ ବେଶରେ ସଜେଇ ହୋଇ ଗାଁ ଦାଣ୍ଡରେ ନାଚୁଥିବାର ଦେଖାଯାଇଥିଲା । ପୁରୋହିତ ମା’ଙ୍କୁ ହାତରେ ଧରି ଗାଁ ପରିକ୍ରମା କରାଇଥିଲେ । ଏହି ସୁନ୍ଦର ଦୃଶ୍ୟକୁ ଦେଖିବା ପାଇଁ ଗାଁ ଦାଣ୍ଡରେ ଏକଜୁଟ ହୋଇଥିଲେ ସମସ୍ତେ ।

ପ୍ରତି ତିନିବର୍ଷ କୁ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରା, ଗତ କୋଭିଡ୍ କଟକଣା ଯୋଗୁଁ ସ୍ଥଗିତ ରହିଥିଲା । ଚଳିତବର୍ଷ ପୁଣି ମା’ଙ୍କ ଯାତ୍ରା ଧୁମଧାମରେ ଆୟୋଜିତ ହୋଇଛି । ମା’ ବ୍ରାହ୍ମଣଦେବୀ ଏବଂ ବୁଢୀମା’ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ଆବାହନ କରି ଗାଁ କୁ ନିମନ୍ତ୍ରଣ କରାଯାଇଥିଲା । ବିରାଟ ପଟୁଆରରେ ପରିକ୍ରମା ପରେ, ବିଳମ୍ବିତ ରାତିରେ ଉଭୟ ମା’ ଠାକୁରାଣୀ ଭେଜିପୁଟ ଠାରେ ଆୟୋଜିତ ଅସ୍ଥାୟୀ ଗମ୍ଭୀରାରେ ବିଜେ ହୋଇଥିଲେ । ତେବେ ଆଗକୁ ନିର୍ବାଚନ ଥିବାରୁ ମା’ଙ୍କ ଘଟ ପରିକ୍ରମା ୩ ଦିନ ବନ୍ଦ ରହିବ । ପରବର୍ତ୍ତୀ ଦିନ, ପାରମ୍ପରିକ ରୀତିନୀତି ଅନୁଯାୟୀ ଘଟ ପରିକ୍ରମା ଓ ପଟୁଆର ହେବ ବୋଲି, ଆୟୋଜକ କମିଟି ପକ୍ଷରୁ କୁହାଯାଇଛି ।

ମା’ଙ୍କ ଉପରେ ଗାଁ ଲୋକଙ୍କର ଅଗାଧ ବିଶ୍ୱାସ ରହିଛି । ଏହି ଯାତ୍ରାରେ ସାମିଲ ହେବାପାଇଁ ଲୋକମାନେ ଦୂର ଦୂରାନ୍ତରରୁ ଏଠାକୁ ଆସିଥାନ୍ତି । ମା’ଙ୍କ ଏହି ଯାତ୍ରାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଭକ୍ତମାନେ ମା’ଙ୍କ ଦର୍ଶନ କରି ଖୁବ ଆନନ୍ଦିତ ହେଉଛନ୍ତି । ଦିନକୁ ଦିନ ଗାଁ ମାନଙ୍କରେ ଏଭଳି ପର୍ବ ପର୍ବାଣୀ ଲୋପ ପାଉଥିବା ବେଳେ ଭେଜିପୁଟର ଅଧିବାସୀ ଏହି ପର୍ବକୁ ଖୁବ ଆନନ୍ଦ ସହକାରେ ପାଳନ କରୁଛନ୍ତି ।