ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା

ପୁରୀ(କେନ୍ୟୁଜ୍): ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ ଲାଗୁ ହେବ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା। ଟ୍ରାଫିକ ପରିଚାଳନା ନେଇ ପୁରୀ ସହରକୁ ୧୦ଟି ଜୋନ୍ ଓ ୧୯ଟି ସେଣ୍ଟରରେ ଭାଗ କରାଯାଇଛି। କଟକ ଓ ଭୁବନେଶ୍ୱର ପଟରୁ ଆସୁଥିବା ତିନି ଓ ଚାରି ଚକିଆ ଗାଡ଼ି ମାଳତୀପାଟପୁରରେ ରହିବେ । ଦୁଇ ଚକିଆ ଗାଡ଼ି ସବୁ ବାଟଗାଁ ଡେଇଁବେ ନାହିଁ। ଯାତ୍ରୀଙ୍କ ପାଇଁ ମାଳତିପାଟପୁରରୁ ୨୫ଟି ଟାଉନ୍ ବସ୍ ବ୍ୟବସ୍ଥା ହୋଇଛି। ବ୍ରହ୍ମଗିରି ପଟରୁ ଆସୁଥିବା ବସ୍ ଓ ଚାରି ଚକିଆ ଯାନ ମଙ୍ଗଳାଘାଟ ନିକଟରେ ରହିବେ। କୋଣାର୍କରୁ ଆସୁଥିବା ଦୁଇ ଓ ଚାରି ଚକିଆ ଗାଡ଼ି ପାର୍କିଂ କରିବେ ତାଳବଣିଆରେ। ଟୁରିଷ୍ଟ ବସ୍ ସବୁ ମାଳତିପାଟପୁରରେ ପାର୍କିଂ କରିବେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରତି ଜୋନ୍ ଓ ସେଣ୍ଟର ଦାୟିତ୍ୱରେ ରହିବେ ବରିଷ୍ଠ ପୋଲିସ ଅଧିକାରୀ। ପୁରୀ ଟାଉନ୍ ଥାନାରେ କାମ କରିବ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍। ରଥଯାତ୍ରା ସୁରକ୍ଷା ନେଇ ଗତକାଲି ପୁରୀରେ ମକଡ୍ରିଲ୍ କରାଯାଇଥିଲା।