କିମ୍ ଜଙ୍ଗ୍ ଉନ୍‌ଙ୍କୁ ଧମକାଇଲା ପେଣ୍ଟାଗନ୍‌, ଦକ୍ଷିଣ କୋରିଆ ଉପରେ ଆକ୍ରମଣ କଲେ କିମ୍‌ ସାମ୍ରାଜ୍ୟର ଅନ୍ତ ହେବ

ନୂଆଦିଲ୍ଲୀ : କୋରିଆ ଉପଦ୍ୱୀପରେ ଘନେଇଲା ଯୁଦ୍ଧ ଆଶଂକା। ଉତ୍ତର କୋରିଆର ତୁହାକୁ ତୁହା ମିସାଇଲ ମାଡ଼ ପରେ ଧମକାଇଲା ପେଣ୍ଟାଗନ୍। ଆମେରିକା କିମ୍ବା ସହଯୋଗୀ ଦକ୍ଷିଣ କୋରିଆ ଉପରେ ପରମାଣୁ ଆକ୍ରମଣ ହେଲେ କିମ୍ ସାମ୍ରାଜ୍ୟର ଅନ୍ତ ହେବ । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍‌ ଙ୍କ ଖେଳ ଖତମ କରିଦିଆଯିବ ବୋଲି ଚେତାବନୀ ଶୁଣାଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍ । ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଲି ଜଙ୍ଗ-ସୁପ୍ ଙ୍କ  ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଷ୍ଟିନ୍ କହିଛନ୍ତି, ଉତ୍ତର କୋରିଆର ଧମକ ଗ୍ରହଣୀୟ ନୁହେଁ । ଦକ୍ଷିଣ କୋରିଆ ଲୌହ କବଚରେ ସୁରକ୍ଷିତ । ଦକ୍ଷିଣ କୋରିଆ ପ୍ରତିରକ୍ଷା ପାଇଁ ଆମେରିକା ବଦ୍ଧ ପରିକର ବୋଲି କହିଛନ୍ତି ଅଷ୍ଟିନ୍ ।

ଉତ୍ତର କୋରିଆର ମିସାଇଲ ବର୍ଷା ପରେ ଧମକାଇଛି ଆମେରିକା । ଦକ୍ଷିଣ କୋରିଆ ଓ ଆମେରିକାର ମିଳିତ ସମରାଭ୍ୟାସକୁ ବିରୋଧ କରି ଦୁଇ ଦିନରେ ୨ ଡଜନରୁ ଅଧିକ ମିସାଇଲ ଟେଷ୍ଟ କରିଥିଲା ଉତ୍ତର କୋରିଆ। ଅନ୍ତର୍ମହାଦେଶୀୟ ଆସିବିଏମ୍ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷା କରିଥିଲା । କେବଳ ସେତିକି ନୁହେଁ, ପ୍ୟୋଙ୍ଗୟାଙ୍ଗର ରକେଟ୍  ଞ୍ଚ ଓ କୋଷ୍ଟାଲ ଆର୍ଟିଲାରୀ କୋରିଆ ଉପଦ୍ୱୀପକୁ ଅଶାନ୍ତ କରିଦେଇଥିଲା । ଗତ ସୋମବାର ଠାରୁ ଦକ୍ଷିଣ କୋରିଆ ଓ ଆମେରିକାର ବିଶାଳ ସମରାଭ୍ୟାସ ଆରମ୍ଭ ହୋଇଥିଲା। ଆମେରିକାର ନ୍ୟୁକ୍ଲିଅର ସବମାରିନ୍ ମଧ୍ୟ ଏଥିରେ ସାମିଲ ହୋଇଥିଲା।

ଏହାକୁ ତୀବ୍ର ବିରୋଧ କରି ତୁହାକୁ ତୁହା ମିସାଇଲ ଟେଷ୍ଟ କରିଥିଲା ଉତ୍ତର କୋରିଆ। ଆଜି ମଧ୍ୟ ମିସାଇଲ ଧମକରୁ ନିବୃତ୍ତ ହୋଇ ନାହାନ୍ତି ଦୁଇ ଦେଶ । ଆମେରିକା ପ୍ରତିରକ୍ଷା ସଚିବ ଓ ତାଙ୍କ ଦକ୍ଷିଣ କୋରିଆ ପ୍ରତିପକ୍ଷ ଏକ ଏୟାରବେସ୍ ବୁଲିବା ସହ କିମ୍ ଜଙ୍ଗ ଉନ୍‌ ଙ୍କୁ ଦେଇଛନ୍ତି ନିରବ ବାର୍ତ୍ତା। କୌଣସି ଗଡ଼ବଡ଼ କଲେ ଏହି ଏୟାର ବେସ୍ ଓ ଯୁଦ୍ଧ ବିମାନରୁ ଜବାବ ମିଳିବ । ଲି କହିଛନ୍ତି ଉତ୍ତର କୋରିଆ ପାର୍ଶ୍ୱରୁ କୌଣସି ଆଶଂକା ସୃଷ୍ଟି ହେଲେ ମିଳିତ ଜବାବ ଦେବେ ଆମେରିକା ଓ ଦକ୍ଷିଣ କୋରିଆ ।  କିଛି ଦିନ ହେବ ଦୁଇ କୋରିଆ ରାଷ୍ଟ୍ର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଆଜି ମଧ୍ୟ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆର ଯୁଦ୍ଧ ବିମାନ ଆକାଶରେ ମୁହାଁମୁହିଁ ହୋଇଥିବା ଦେଖାଯାଇଥିଲା।