ନିଆରା ପରମ୍ପରା ବିଜୟା ରଥଯାତ୍ରା, ଦେଖିବା ପାଇଁ ଲାଗେ ଭକ୍ତଙ୍କ ଭିଡ଼

ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି ବିଜୟା ରଥଯାତ୍ରା । ଶ୍ରୀକପିଳେଶ୍ବର ଦେବଙ୍କ ଅଶୋକାଷ୍ଟମୀ ବିଜୟା ରଥଯାତ୍ରାରେ ସାମିଲ ହେଲେ ହଜାର ହଜାର ଭକ୍ତ । ନିଆରା ପରମ୍ପରାକୁ ନେଇ ରାତିରେ ରଥ ଟଣା ଯାଏ । ରଥ ଯେତିକି ଆଗକୁ ଯାଏ ପୁଣି ସେତିକି ପଛକୁ ଫେରିଥାଏ । ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଲାଗେ ଭକ୍ତଙ୍କ ଭିଡ଼ ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସ୍ଥିତ ନିରାକାରପୁର ଓ ଆରେଡ଼ି ଅଞ୍ଚଳର ଇଷ୍ଟଦେବ ଶ୍ରୀ କପିଳେଶ୍ବର ଦେବଙ୍କ ପବିତ୍ର ଅଶୋକାଷ୍ଟମୀରେ ପାଳିତ ହୁଏ ନିଆରା ରଥଯାତ୍ରା । ଶ୍ରୀ କପିଳେଶ୍ବର ଦେବ ମାତା ପାର୍ବତୀଙ୍କ ସମେତ ବଡ଼ଭାଇ ପଡୋଶୀ ଆରେଡ଼ି ଗାଁର ଇଷ୍ଟଦେବ ଶ୍ରୀ ଗ୍ରାମେଶ୍ବର ଦେବଙ୍କୁ ସାଥିରେ ନେଇ ରଥାରୁଡ଼ ହୁଅନ୍ତି । ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ସାଢ଼େ ୪ଟାରେ ଶ୍ରୀ କପିଳେଶ୍ବର ଦେବ ଓ ମାତା ପାର୍ବତୀଙ୍କ ବିଗ୍ରହ ପ୍ରତିମାଙ୍କର ସ୍ନାନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ପରେ ୫ଟାରେ ମାନସିକଧାରୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସ୍ନାନ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ରହିଥିଲା । ସେହିପରି ଭୋର ୬ଟାରେ ମଙ୍ଗଳ ଆଳତି ବାଳ ଧୂପ ଓ ପାରମ୍ପରିକ ଅଶୋକ ଫୁଲ ଲାଗି କରାଯାଇଥିଲା । ୭ଟା ଠାରୁ ସର୍ବ ସାଧାରଣ ଦର୍ଶନ ଓ ଶୁଖିଲା ଭୋଗ ଅର୍ପଣ କରାଯାଇ ଦିନ ୧୦ଟାରେ ରଥ ପ୍ରତିଷ୍ଠା, ସାଢ଼େ ୧୧ଟାରେ ପୁରୀ ଶ୍ରୀଜଗନ୍ନାଥଙ୍କ ଠାରୁ ଆସିଥିବା ପାଟ ପତନୀ ଓ ଚନ୍ଦନ କୀଳା(ଆଜ୍ଞାମାଳ)ଶ୍ରୀଜୀଉଙ୍କୁ ଲାଗି କରାଯାଇଥିଲା । ସଂଧ୍ୟା ୬ ଟାରେ ରଥ ଟଣା ଆରମ୍ଭ ହୋଇଥିଲା । ରଥ ରାଜ ରାସ୍ତାରେ ନଯାଇ ଗହୀର ଚାଷ ଜମି ମଧ୍ୟ ଦେଇ ପଣା କିଆରୀରେ ପହଞ୍ଚିବା ପରେ ପଣା ଭୋଗ ସହ ରାଧାକୃଷ୍ଣ ମନ୍ଦିରରେ ପହଞ୍ଚିଥିଲା ରଥ ।

ବାସନ୍ତୀ ଦୁର୍ଗାପୂଜା ସମୟରେ ଏଠାରେ ବିଜୟା ରଥଯାତ୍ରା ଅନୁଷ୍ଠିତ ହୁଏ । ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ଦିନ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ । ପୁରୀ ଶ୍ରୀ ମନ୍ଦିର ସହିତ କପିଳେଶ୍ୱର ଦେବଙ୍କ ସମ୍ପର୍କ ରହିଛି । ପୁରୀ ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ  ଅଶୋକାଷ୍ଟମୀ ରଥ ଯାତ୍ରା ହୋଇ ଆସୁଛି । ପଞ୍ଚଦଶ ଶତାବ୍ଦୀରେ କପିଳେଶ୍ୱର ଦେବଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଗଜପତି ମହାରାଜା କପିଳେନ୍ଦ୍ରଦେବ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । ସେବେଠାରୁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଅଶୋକାଷ୍ଟମୀ ଦିନ ଆରେଡି ଗାଁରୁ ବଡ ଭାଇ ଗ୍ରାମେଶ୍ୱର ଦେବ ନିମନ୍ତ୍ରଣ ପାଇ ଆସନ୍ତି । ପରେ ରଥାରୂଢ ହୋଇ ମାଉସୀ ମା’ ମନ୍ଦିର ଯାଆନ୍ତି । ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆଜ୍ଞାମାଳ, ଯାତ୍ରା ପାଉଣା, କସ୍ତୁରୀ ଚନ୍ଦନ, ପାଟପତନୀ ଆସି ଥାଏ । ଏହା ପରେ ରଥ ପ୍ରତିଷ୍ଠା ହୁଏ ।

ବିଜୟା ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଶ୍ରଦ୍ଧାଳ ଉପସ୍ଥିତ ଥିଲେ । ସେପଟେ ବିଭିନ୍ନ ସଂଗଠନ ପକ୍ଷରୁ ପାନୀୟ ବଣ୍ଟନ ସହିତ ମୀନା  ବଜାରରେ ବେଶ ଭିଡ଼ ଜମିଥିଲା ।

Also Read: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ, ୭ ହଜାର ଘନ ଫୁଟ କାଠ ଚିରା ହେବ