ତିରୁପତି ବାଲାଜୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ

ରାଜନଗର: ପୁରାଣ ଅନୁସାରେ ଏକାଦଶୀ ବ୍ରତ ରଖିବା ବହୁତ ଫଳଦାୟୀ ହୋଇଥାଏ । ଭଗବାନଙ୍କର କୃପା ମିଳିଥାଏ । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବଡ଼କୋଲ୍ଲା ଗାଁରେ ପବିତ୍ର ବୈକୁଣ୍ଠ ଏକାଦଶୀ ପାଳିତ ହୋଇଯାଇଛି । ଏହି ଅବସରରେ ତିରୁପତି ବାଲାଜୀ ମନ୍ଦିରରେ ହରିହର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ତିନି ଦିନ ବ୍ୟାପି ଏହି ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ପ୍ରତ୍ୟକ ଦିନ ଜ୍ଞାନ ଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ ଅନୁଷ୍ଠିତ ହେଉଛି । ବୈକୁଣ୍ଠ ଏକାଦଶୀ ଦିନ ତିରୁପତି ବାଲାଜୀଙ୍କ ଦର୍ଶନ କଲେ ବୈକୁଣ୍ଠ ଧାମ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଆଜିକୁ ୧୨ ବର୍ଷ ହେବ ଏହିଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି।
ତେବେ ଧାର୍ମିକ ଶାସ୍ତ୍ରରେ ଏକାଦଶୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି । ଏକାଦଶୀରେ ନିୟମିତ ଭାବେ ବ୍ରତ ରଖିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ବର୍ଷରେ ସମୁଦାୟ ୨୪ଟି ଏକାଦଶୀ ପଡିଥାଏ । ତେବେ ପବିତ୍ର ବୈକୁଣ୍ଠ ଏକାଦଶୀରେ ତିରୁପତି ବାଲାଜୀ ମନ୍ଦିରରେ ହରିହର ମିଳନ ଉତ୍ସବକୁ ଭକ୍ତିର ସହ ବେଶ ମନଭରି ଉପଭୋଗ କରିଥିଲେ ଶ୍ରଦ୍ଧାଳୁ ।