ବାରାଣସୀ, ବୃନ୍ଦାବନ ସମେତ ଅନ୍ୟାନ୍ୟ ତୀର୍ଥ କ୍ଷେତ୍ରରେ ୨୫୦ ମିଟର ଦୂରତା ମଧ୍ୟରେ ମଦ ଓ ଆମିଷ ବିକ୍ରି ନିଷେଧ

ଉତ୍ତର ପ୍ରଦେଶର ବାରାଣସୀ ସହରରେ ସମସ୍ତ ମନ୍ଦିର ଏବଂ ଧାର୍ମିକ ସ୍ଥଳଗୁଡିକର ୨୫୦ ମିଟର ମଧ୍ୟରେ ମଦ ଏବଂ ଆମିଷ ଭୋଜନ ସେବନ ଓ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିବ। ବାରାଣସୀ ନଗର ନିଗମ ଏହି ଐତିହାସିକ ଏବଂ ଧାର୍ମିକ ନଗରୀରେ ମନ୍ଦିର ଏବଂ ଧାର୍ମିକ ସ୍ଥଳୀମାନଙ୍କରେ ୨୫୦ ମିଟର ପରିସର ମଧ୍ୟରେ ମଦ ଏବଂ ଆମିଷ ଭୋଜନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାର ପ୍ରସ୍ତାବ ଦେଇଛି।
ବିଏମସି ଉପାଧ୍ୟକ୍ଷ ନରସିଂହ ଦାସ କହିଛନ୍ତି, ‘‘କାର୍ଯ୍ୟକାରୀ ସମିତି ବୈଠକରେ ସଦସ୍ୟ ରାଜେଶ ଯାଦବ ମନ୍ଦିର ଏବଂ ଧାର୍ମିକ ସ୍ଥଳୀମାନଙ୍କର ୨୫୦ ମିଟର ପରିସର ମଧ୍ୟରେ ମଦ ଏବଂ ମାଂସାହାରୀ ଭୋଜନ ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରସ୍ତାବ ଦାଖଲ କରିଛନ୍ତି।’’ ଏହି ନିଷ୍ପତ୍ତି ମେୟର ମୁଦୁଲା ଜାୟସବାଲଙ୍କ ଅଧ୍ୟକ୍ଷତାରେ ବିଏମସିର କାର୍ଯ୍ୟକାରୀ ସମିତିର ବୈଠକରେ ନିଆଯାଇଛି। ଯାଦବ ନିଜ ପ୍ରସ୍ତାବ ସମର୍ଥନରେ କହିଛନ୍ତି ହରିଦ୍ବାର ଏବଂ ଅଯୋଧ୍ୟାରେ ମଧ୍ୟ ରହିଥିବା ଧାର୍ମିକ ସ୍ଥଳ ନିକଟରେ ଆମିଷ ଏବଂ ମଦ ଉପରେ ରୋକ୍ ଲଗାଯାଇଛି।
ସୂଚନା ଅନୁଯାୟୀ ଏହା ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ବାରାଣସୀ, ବୃନ୍ଦାବନ, ଅଯୋଧ୍ୟା, ଚିତ୍ରକୁଟ, ଦେଓଗଡ, ଦେବି ସାରୀଫ ଆଦି ପୂଜା ସ୍ଥଳମାନଙ୍କରେ ମଧ୍ୟ ମଦ ଦୋକାନ ଏବଂ ଆମିଷ ଭୋଜନ ଉପରେ କଟକଣା ଲଗାଇବା ନେଇ ଘୋଷଣା କରିଥିଲେ। ଏହା ବ୍ୟତୀତ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ବାରାଣସୀରେ କାଶୀ ବିଶ୍ବନାଥ ମନ୍ଦିର, ମଥୁରାରେ କୃଷ୍ଣ ଜନ୍ମଭୂମି ଏବଂ ଆହ୍ଲାବାଦର ସଙ୍ଗମ କ୍ଷେତ୍ରରେ ଏକ କିଲୋମିଟର ଦୂର ମଧ୍ୟରେ ମଦ ବିକ୍ରି ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି।