ବରାଳ ବାଲୁଙ୍କେଶ୍ଵରଙ୍କ ବିଭୂତି ଖୋଳା ଉତ୍ସବ, ଘଣ୍ଟ ମାର୍ଦଳ ଶବ୍ଦରେ କମ୍ପିଲା ପରିବେଶ

ପିପିଲି: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ବରାଳ ବାଲୁଙ୍କେଶ୍ଵରଙ୍କ ପବିତ୍ର ପୀଠ । ଯେଉଁଠାରେ ବର୍ଷ ତମାମ ଲାଗି ରହିଥାଏ ଏଠାରେ ଠାକୁରଙ୍କ ବିଭିନ୍ନ ପୂଜା ପାର୍ବଣ । ଆଉ ବିଭୂତି ସଂଗ୍ରହ ମଧ୍ୟ ଏହି ପର୍ବ ମଧ୍ୟରୁ ଅନ୍ୟତମ । ଠାକୁରଙ୍କ ଆଜ୍ଞାମାଳକୁ ନେଇ ବ୍ରାହ୍ମଣମାନେ ଏକ ବିରାଟ ପଟ୍ଟୁଆରରେ ଯାଇଥାନ୍ତି ବିଭୂତି ବାଟିକାକୁ ।
ହାତରେ ବେତର ଟୋକେଇ ଓ ଶାବଳକୁ ଧରି ସେବାୟତମାନେ ବାଜା ବାଜଣାରେ ଏକତ୍ରିତ ହୋଇ ଯାଇଥାନ୍ତି ବିଭୂତି ବାଟିକାକୁ । ସେଠାରେ ଥିବା ଏକ ବରଗଛ ମୂଳରେ ଠାକୁରଙ୍କ କାଳେସୀ ଦ୍ଵାରା ହୋଇଥାଏ ସ୍ଵତନ୍ତ୍ର ପୂଜାର୍ଚ୍ଚନା ।ପୂଜା ଶେଷ ହେବା ପରେ ବିଭୂତି ବାଟିକା ପରିସରରେ କାଳେସୀ ଯେଉଁ ସ୍ଥାନକୁ ନିର୍ଦ୍ଦେଶ ଦେଇଥାନ୍ତି ସେହି ସ୍ଥାନକୁ ସେବାୟତମାନେ ଖୋଳି ମାଟି ସଂଗ୍ରହ କରିଥାନ୍ତି । ଏହାକୁ ସଂଗ୍ରହ କରି ଆଣିବା ପରେ ମନ୍ଦିର ପରିସରରେ ଶୁଖା ଯାଇଥାଏ ।
ତେବେ ସକାଳୁ ସକାଳୁ ଦ୍ଵାର ଲିପାପୋଛା କରିବା ପରେ ଖାଇବା ପାଇଁ ପ୍ରସାଦ ପ୍ରସ୍ତୁତି କରାଯାଇଥାଏ । ସେବାୟତମାନେ ଘରୁ ବାହାରିବା ପରେ ସେମାନଙ୍କ ପାଇଁ ବେତୁଲି ଏବଂ ଶାବଳ ଯୋଗାଡ଼ କରି ଦେଇଥାନ୍ତି । ଏହାପରେ ବିଭୂତି ସଂଗ୍ରହ କରି ଆଣିବା ପରେ ଦଶହରାରେ ଏହାକୁ ପୂଜାର୍ଚ୍ଚନା କରାଯାଇ ବିଭୂତି ପ୍ରସ୍ତୁତ କରାଯାଇଥାଏ । ଏହାପରେ ପ୍ରଥମେ ଠାକୁରଙ୍କୁ ସମର୍ପଣ କରାଯିବା ପରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ । ଠାକୁରଙ୍କୁ ଏହି ବିଭୂତି ସଂଗ୍ରହ ବର୍ଷର ଗୋଟିଏ ଦିନରେ କରାଯାଇଥାଏ । ତେବେ ବିଶ୍ୱାସ ରହିଛି ବାବାଙ୍କ ବିଭୂତି ପାଇଲେ ବହୁ ବଡ ବଡ ରୋଗ ଭଲ ହୋଇଯାଏ, ନିଃସନ୍ତାନ ନାରୀ ମାଆ ସୁଖ ପାଇଥାଏ ବୋଲି ।
ଠାକୁରଙ୍କ ବିଭୂତି ଖୋଳା ଉତ୍ସବ । ବରାଳ ବାଲୁଙ୍କେଶ୍ଵରଙ୍କ ବିଭୂତି ଖୋଳା ଉତ୍ସବ ଅତି ଧୁମ ଧାମର ସହିତ ଅନୁଷ୍ଠିତ ହୋଇ ଯାଇଛି । ତେବେ ପ୍ରଥା,ପରମ୍ପରା ଓ ସଂସ୍କୃତି ଏବେ ବି ବଞ୍ଚି ରହିଛି ଆମ ସମାଜରେ । ମହାଦେବଙ୍କୁ ମନେ ପକାଇବା ପାଇଁ ହେଉଥିବା ଏହି ଉତ୍ସବ ଆଗାମୀ ଯୁବ ପିଢୀଙ୍କୁ ଭଗବତ୍ ବିଶ୍ଵାସ ପ୍ରତି ଆଗ୍ରହ ଜନ୍ମାଇବ ।