ଯାଜପୁର : ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଓ ତଦନ୍ତ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଯାଜପୁର (କେ ନ୍ୟୁଜ୍‌) : ଅମରଙ୍କୁ କେହି ହତ୍ୟା କରିଛି । ଏହି ସନ୍ଦେହରେ ପରିବାର ଲୋକଙ୍କ ରାସ୍ତାରୋକ । ଯାଜପୁର ଜିଲ୍ଲା ଜେନାପୁର ଥାନା ଚକ୍ରଧରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଟ୍ରକ ଡ୍ରାଇଭର ଆମର ମଳିକ (୩୫) ଆଜି ସକାଳୁ ମାଛ ଧରିବାକୁ ଆସି ଘରକୁ ଫେରି ନଥିଲେ । ଘର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ଦଳଗାଁ ନିକଟସ୍ଥ ଏକ ଧାନ ବିଲରୁ ତାଙ୍କର ମୃତ ଦେହକୁ ମିଳିଲା । ତେବେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରି କ୍ଷତିପୂରଣ ସହ ଅଭିଯୁକ୍ତକୁ ଗିରଫ ଦାବି କରିଥିଲେ ଗ୍ରାମବାସୀ । ପରିବାର ଲୋକଙ୍କ ସହ ମିଶି ସେମାନେ ୫୩ ନମ୍ବର ଜାତୀୟ ରାଜପଥର ଦଳଗାଁ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଜେନାପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ରେଡ୍‌କ୍ରସ୍‌ ତରଫରୁ କ୍ଷତିପୂରଣ ଦେବା ପରେ ରାସ୍ତାରୋକ ହଟିଛି। ତେବେ ଏହି ରାସ୍ତାରୋକ ଯୋଗୁଁ ବେଶ୍‌ କିଛି ସମୟ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ସବୁ ଅଟକି ରହିଥିଲା ।