ଫନି ପରେ ପାଣି ପାଇଁ ଛଟପଟ : ଦେବଦୂତ ସାଜିଛି ଅଗ୍ନିଶମ ବିଭାଗ

ଫନି ଯିବାର ୫ଦିନ ପରେ ବି ଛଟପଟ ହେଉଛନ୍ତି ରାଜଧାନୀ ବାସିନ୍ଦା । ପାଣି ହେଉ ଅବା ବିଜୁଳି ସବୁଥିରୁ ବଞ୍ଚିତ ରାଜଧାନୀ ବାସିନ୍ଦା । ବିଜୁଳି ଯେତିକି କଷ୍ଟ ଦେଉଛି ତା ଠାରୁ ବେଶି ଯନ୍ତ୍ରଣା ଦେଉଛି ପାଣି । ତେବେ ଏତିକି ବେଳେ ଦେବଦୂତ ସାଜିଛି ଅଗ୍ନିଶମ ବିଭାଗ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ଜଳ ବାଣ୍ଟୁଛନ୍ତି ଅଗ୍ନିଶମ କର୍ମଚାରୀ । ସେପଟେ ରାଜଧାନୀରେ ରିଲିଫ ପାଇଁ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି ।

ରାଜଧାନୀ ବାସିନ୍ଦାଙ୍କୁ ପାଣି ଦେଉଛି ଯମ ଯନ୍ତ୍ରଣା । ଫନିର ପାଞ୍ଚ ଦିନ ପରେ ବି ପାଣି ଟୋପେ ପାଇଁ ଲମ୍ବା ଲାଇନ୍‌ ଲାଗୁଛି । ଯେଉଁଠି ଟିକିଏ ପାଣି ମିଳୁଛି ବାଲଟି, ଡେକଚି ଧରି ଲାଗୁଛି ଲମ୍ବା ଧାଡ଼ି । ତେବେ ଏଭଳି ବିପଦ ସମୟରେ ଦେବଦୂତ ସାଜି ଛିଡ଼ା ହୋଇଛି ଅଗ୍ନିଶମ ବିଭାଗ । ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ପାଣି ଯୋଗାଇ ଦେଉଛନ୍ତି ଅଗ୍ନିଶମ କର୍ମଚାରୀମାନେ ।

 

ସେପଟେ ରିଲିଫ୍‌ ଟଙ୍କା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି ଲୋକେ । ଟାଣ ଖରାରେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି ବସ୍ତି ବାସିନ୍ଦା । କେହି ଟଙ୍କା ପାଉଛନ୍ତି ତ ଆଉ କାହାର ତାଲିକାରେ ନାଁ ନଥିବାରୁ ଫେରିବାର ଦେଖିବାକୁ ମିଳିଛି । ତେବେ ଭିନ୍ନକ୍ଷମମାନଙ୍କ ପାଇଁ କୌଣସି ସୁବିଧା ନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।

ଧୀରେ ଧୀରେ ବଦଳୁଛି ରାଜଧାନୀର ଚିତ୍ର । ସ୍ଥିତି ବି ସୁଧୁରିବାରେ ଲାଗିଛି। ସରକାରଙ୍କ ତରଫରୁ କୁହାଯାଇଛି ଖୋର୍ଦ୍ଧାରେ ୭୦ ପ୍ରତିଶତ, ଜଟଣିରେ ୫୦ ପ୍ରତିଶତ ଜଳ ଯୋଗାଣ ହେଉଛି। ଭୁବନେଶ୍ୱର ଓ ପୁରୀରେ ଜଳ ଯୋଗାଣ ସଂପୂର୍ଣ୍ଣ ହେଉଛି। ହାଇପାୱାର ଜେନ ସେଟ ବ୍ୟବହାର କରି ଲୋକଙ୍କୁ ଜଳ ଯୋଗାଇ ଦିଆଯାଉଛି। କିନ୍ତୁ ଘରକୁ ବିଦ୍ୟୁତ ସେବା ନଥିବାରୁ ଲୋକେ ପାଣି ପାଇ ପାରୁ ନାହାନ୍ତି। ସେପଟେ ଲୋକେ କୂଅ ପାଣି ବ୍ୟବହାର କରୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ବାତ୍ୟା ପ୍ରଭାବିତ ଅଂଚଳର ୯୦ ପ୍ରତିଶତ କୂଅକୁ ବିଶୋଧନ କରିଛି। ବାତ୍ୟା ପରେ ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ରୋଗ ବ୍ୟାପିବାର ଆଶଙ୍କା ଉପୁଜି ପାରେ । ଏହାକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି।