କୁମ୍ଭୀର ମଳଠାରୁ ଆରମ୍ଭ କରି ଲେମ୍ବୁ ପର୍ଯ୍ୟନ୍ତ, ଗର୍ଭନିରୋଧକ ଭାବେ ଶହେ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଥିଲା ଏସବୁ ଜିନିଷ

ଗର୍ଭନିରୋଧକ ଭାବେ ବର୍ତ୍ତମାନ ଉଭୟ ମହିଳା ଓ ପୁରୁଷ ବିଭିନ୍ନ ପ୍ରକାରର ଉପାୟ ତଥା ଔଷଧ ବ୍ୟବହାର କରୁଛନ୍ତି। କିଏ କଣ୍ଡୋମ୍ ବ୍ୟବହାର କରି ଅବାଞ୍ଛିତ ଗର୍ଭଧାରଣ ରୋକୁଛି ତ ଆଉ କିଏ ପ୍ରି-କସନ୍ ଖାଉଛି। ତେବେ କେବଳ ବର୍ତ୍ତମାନ ନୁହେଁ ପୂର୍ବକାଳରେ ମଧ୍ୟ ଲୋକମାନେ ଗର୍ଭନିରୋଧକ ବ୍ୟବହାର କରୁଥିଲେ। କିନ୍ତୁ ସେମାନେ ଯାହା ବ୍ୟବହାର କରୁଥିଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା ଆଗରୁ ଲୋକମାନେ ଗର୍ଭନିରୋଧକ ଭାବେ କି କି ଜିନିଷ ବ୍ୟବହାର କରୁଥିଲେ…
କୁମ୍ଭୀର ଓ ହାତୀଙ୍କ ମଳ:
ପ୍ରାଚୀନକାଳରେ ମହିଳାମାନେ ଗର୍ଭନିରୋଧକ ଭାବେ କୁମ୍ଭୀରଙ୍କ ମଳ ବ୍ୟବହାର କରୁଥିଲେ। ଏହାକୁ ଗୁଳା କରି ଯୌନାଙ୍ଗରେ ରଖାଯାଉଥିଲା। ଏହା ଗର୍ଭନିରୋଧରେ ସାହାଯ୍ୟ କରେ ବୋଲି କୁହାଯାଉଥିଲା। ସେହିପରି ମଧ୍ୟ-ପୂର୍ବରେ ଲୋକମାନେ ହାତୀର ମଳକୁ ଗର୍ଭ ନିରୋଧକ ଭାବେ ବ୍ୟବହାର କରୁଥିଲେ।
ଦେବଦାରୁ ତେଲ:
ପ୍ରସିଦ୍ଧ ଦାର୍ଶନିକ ଆରିଷ୍ଟୋଟଲ ଗର୍ଭନିରୋଧକ ଭାବେ ଏକ ନିଆରା ଉପାୟ ବାହାର କରିଥିଲେ। ତାଙ୍କ କହିବାନୁସାରେ ଶାରୀରିକ ସମ୍ପର୍କ ପୂର୍ବରୁ ଗର୍ଭାଶୟରେ ଦେବଦାରୁ ଗଛର ତେଲ ଲଗାଇବା ଦ୍ୱାରା ଗର୍ଭଧାରଣ ରୋକି ହେବ।
ସ୍ପଞ୍ଜ:
‘Women’s Body, Women’s Right: Birth Control in America’ ର ଲେଖିକା ଆଇରିନ୍ ଲିଣ୍ଡା ଗାର୍ଡନଙ୍କ ମୁତାବକ ୧୦୦୦ ବର୍ଷ ପୂର୍ବେ ବର୍ଥ କଣ୍ଟ୍ରୋଲ ଭାବେ ସ୍ପଞ୍ଜର ବ୍ୟବହାର କରାଯାଉଥିଲା। ସ୍ପଞ୍ଜକୁ ସର୍ବିକ୍ସ ଉପରେ ରଖିବା ଦ୍ୱାରା ତାହା ସିମେନ୍କୁ ଶୋଷି ଦେଇଥାଏ। ଏହିପରି ଏହା ପ୍ରାକୃତିକ ଗର୍ଭନିରୋଧକ ଭାବେ କାମ କରେ।
ଲେମ୍ବୁରସ ଓ ମହୁ:
କଣ୍ଡୋମ୍ ଓ ଅନ୍ୟ ଗର୍ଭନିରୋଧକ ଔଷଧ ଆସିବା ପୂର୍ବରୁ ଲୋକମାନେ ଗର୍ଭନିରୋଧକ ଭାବେ ଲେମ୍ବୁ ରସକୁ ବ୍ୟବହାର କରୁଥିଲେ। ଲିଣ୍ଡାଙ୍କ କହିବାନୁସାରେ, ଏକ୍ଷ୍ଟ୍ରା ପ୍ରୋଟେକ୍ସନ୍ ପାଇଁ ବହୁ ବର୍ଷ ପୂର୍ବେ ଲୋକମାନେ ଲେମ୍ବୁରସ ଓ ମହୁକୁ ମିଶାଇ ବ୍ୟବହାର କରୁଥିଲେ। ଅଷ୍ଟ୍ରେଲିଆର ରିସର୍ଚ୍ଚର ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ରେ ଏଚ୍ଆଇଭି ଓ ସ୍ପର୍ମକୁ ନଷ୍ଟ କରିବା ଭଳି ତତ୍ତ୍ୱ ରହିଛି।
ଅନ୍ତରେ ତିଆରି କଣ୍ଡୋମ୍:
ଭଲକାନିଜଡ୍ ରବରର ଆବିଷ୍କାର ପୂର୍ବରୁ ମଧ୍ୟ କଣ୍ଡୋମ୍ର ବ୍ୟବହାର କରାଯାଉଥିଲା। କିନ୍ତୁ ବର୍ତ୍ତମାନର ଆଧୁନିକ କଣ୍ଡୋମ୍ ତୁଳନାରେ ଏହା ଭିନ୍ନ ଢଙ୍ଗରେ ତିଆରି ହେଉଥିଲା। ସେତେବେଳେ ପଶୁଙ୍କ ଅନ୍ତ ବା ଚର୍ମରେ କଣ୍ଡୋମ୍ ତିଆରି କରାଯାଉଥିଲା।
ତେବେ ପ୍ରାଚୀନକାଳରେ ବ୍ୟବହୃତ ହେଉଥିବା ଗର୍ଭନିରୋଧକ ଆଦୌ ସୁରକ୍ଷିତ ନଥିଲା। ଏସବୁ ବ୍ୟବହାର କରି ସେତେବେଳର ମହିଳାମାନେ ସଂକ୍ରମଣର ଶିକାର ହେଉଥିଲେ। କିନ୍ତୁ ଏବେ ଯୁଗ ବଦଳିବା ସହ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ଯତ୍ନଶୀଳ ହେଉଛନ୍ତି ଓ ଗର୍ଭନିରୋଧକ ଭାବେ ହାଇଜେନିକ୍ ତଥା ସୁରକ୍ଷିତ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି।