ପୁଅ ଅପେକ୍ଷା ପ୍ରଥମେ ଝିଅର ବିବାହକୁ ଗୁରୁତ୍ୱ ଦେଇଥାନ୍ତି ବାପା ମା’, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଆଜି ବି ସମାଜରେ ଲୋକମାନେ ଝିଅକୁ ପରଧନ ବୋଲି ଭାବିଥାନ୍ତି। ଏଣୁ ଝିଅ ବଡ଼ ହେଉ ହେଉ ତା’ ବିବାହ କଥା ପରିବାର ଲୋକ ଚିନ୍ତା କରିଥାନ୍ତି। କେତେକ ପରିବାରରେ ଝିଅର ସ୍କୁଲ ପଢ଼ା ସରିଗଲେ ତା’ ପାଇଁ ବର ଦେଖିବା ଆରମ୍ଭ କରିଥାନ୍ତି। ପୁଅ ଝିଅଙ୍କ ମଧ୍ୟରେ ପୁଅର ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଝିଅର ବିବାହକୁ ପ୍ରାଥମିକତା ଦିଆଯାଏ। ପୁଅ ବଡ଼ ଝିଅ ସାନ ହୋଇଥିଲେ ମଧ୍ୟ ବାପାମା’ ପ୍ରଥମେ ଝିଅକୁ ବିଦା କରିବା ପରେ ପୁଅ ପାଇଁ ବୋହୂ ଆଣିବାକୁ ଉଚିତ ମଣିଥାନ୍ତି। ତେବେ ଆସନ୍ତୁ ଜାଣିବା ଏଭଳି କରିବା ପଛରେ କ’ଣ ରହିଛି କାରଣ…
-ସବୁ ମା’ବାପାଙ୍କ ସ୍ୱପ୍ନ ଥାଏ ଯେ ତାଙ୍କ ଝିଅର ବିବାହ ତାଙ୍କ ଠାରୁ ବଡ଼ ଘରେ ହେଉ। ବେଳେବେଳେ ଭଲ ପ୍ରସ୍ତାବ ଆସିଲେ ଏହି ଇଚ୍ଛା ଅଧିକ ବଢ଼େ।
-ଝିଅ ବଡ଼ ହୋଇଗଲେ ବିବାହ ପ୍ରସ୍ତାବ ଆସିବା ଏକ ସାଧାରଣ କଥା। ଝିଅର ବିବାହ ବାପାମା’ଙ୍କ ଦାୟିତ୍ୱ କହିଲେ ଚଳେ। ଏଣୁ ଝିଅ ବିବାହ କଥା ସମସ୍ତେ ପ୍ରଥମେ ଚିନ୍ତା କରନ୍ତି।
-ଏହା ପଛର ଆଉ ଏକ କାରଣ ହେଉଛି ବର୍ତ୍ତମାନର ସମାଜ। ବର୍ତ୍ତମାନ ସମାଜରେ ଝିଅମାନେ ସୁରକ୍ଷିତ ନୁହଁନ୍ତି। ପ୍ରତିଦିନ ହତ୍ୟା ବଳାତ୍କାର ଏକ ସାଧାରଣ କଥା ପାଲଟିଛି। ଏଣୁ କୌଣସି ବାପା ମା’ ଝିଅକୁ ଘରେ ରଖି ଚିନ୍ତା ମୁଣ୍ଡାଇବାକୁ ଚାହାନ୍ତି ନାହିଁ।
-ପୁଅ ଝିଅ ସମବୟସ୍କ ହୋଇଥିଲେ ମଧ୍ୟ ଶାରୀରିକ ଭାବେ ପୁଅ ଅପେକ୍ଷା ଝିଅ ଅଧିକ ବଡ଼ ଦିଶେ। ଏଣୁ ସମସ୍ତଙ୍କ ନଜର ତା’ ଉପରକୁ ଯାଏ। ତେଣୁ ଘର ଲୋକେ ଝିଅର ବିବାହକୁ ପ୍ରାଧାନ୍ୟ ଦେଇଥାନ୍ତି।
-ବର୍ତ୍ତମାନ ବାପା ମା’ ଝିଅଙ୍କ ପଢ଼ା ଓ ଚାକିରିକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ଝିଅ ୩୦ ବର୍ଷର ହୋଇଗଲେ ବିବାହକୁ ପ୍ରାଥମିକତା ଦିଅନ୍ତି। କାରଣ ସବୁ ଜିନିଷର ଏକ ବୟସ ରହିଛି। ସେହି ଭଳି ବିବାହର ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସ ରହିଛି। ଠିକ୍ ବୟସରେ ବିବାହ କଲେ ପରେ ଶାରରିକ ସମସ୍ୟା ଦେଖା ଦେବା ଆଶଙ୍କା କମେ।