କନ୍ଧମାଳ: କନ୍ଧମାଳରେ ଶୀତର ପହିଲି ପରଶ ଆଣିଛି ଦେଇଛି ରୋମାଞ୍ଚ। ସକାଳର ଘନ କୁହୁଡିରେ ଢେର ବିଳମ୍ବ ଯାଏ ନିଜର ପଶରା ମେଲି ଧରୁଛି। ଥଣ୍ଡା ପାଗରେ କାକର ଭିଜା ପ୍ରକୃତି କେବଳ ସ୍ଥାନୀୟ ବାସିନ୍ଦା ନୁହେଁ, ପର୍ଯ୍ୟଟକଟିଏକୁ ବି ଆନମନା କରୁଛି। ପର୍ଯ୍ୟଟନର ପ୍ରକୃତ ସ୍ଥଳୀ କନ୍ଧମାଳ। ଶୀତର ମଜାଉଠାଇବାକୁ ବାହାର ରାଜ୍ୟକୁ ଯିବା ବଦଳରେ ଏଠାକୁ ଆସି ପ୍ରକୃତ ଶୈଳନିବାସର ମଜା ଉଠାଇପାରିବେ। କନ୍ଧମାଳ ପାଇଁ ରାସ୍ତାଘାଟର ମଧ୍ୟ ଭରପୁର ସୁବିଧା ରହିଛି। ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରକୃତିକୁ ଉପଭୋଗ କରନ୍ତୁ ବୋଲି କହିଛନ୍ତି, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ।
ଗତ ଚାରିପାଞ୍ଚ ଦିନ ଧରି ଜିଲ୍ଲାରେ ଶୀତ ଅନୁଭବ ହେଉଛି। ସକାଳୁ ସକାଳୁ ମର୍ଣ୍ଣିଂୱାକରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିିଳିଛି। ଶୀତୁଆ ସକାଳରେ ଝାଞ୍ଜ, ମୃଦଙ୍ଗର ତାଳେ ତାଳେ କୀର୍ତ୍ତନ ମଣ୍ଡଳୀଙ୍କ ନଗର ପରିକ୍ରମା ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛି। କନ୍ଧମାଳରେ ତାପମାତ୍ରା ୧୫ଡିଗ୍ରୀକୁ ଖସିଯାଇଛି। ଫଳରେ ଶୀତବସ୍ତ୍ର କିଣିବାକୁ ଦୋକାନରେ ଭିଡ଼ ଜମିଲାଣି। ବାହାର ରାଜ୍ୟର ବ୍ୟବସାୟୀ ମଧ୍ୟ ଆସି ଶୀତବସ୍ତ୍ରର ପସରା ମେଲାଇଲେଣି। ସକାଳର କୁହୁଡ଼ି ଦିନ ୯ଟା ଯାଏ ଲାଗି ରହୁଛି। ଫଳରେ ଗାଡ଼ିମଟର ଭିଡ଼ ଟିକେ କମ ରହୁଥିବା ବେଳେ ଲୋକଙ୍କ ମନରେ କିନ୍ତୁ ଆନନ୍ଦ ଆଣିଦେଇଛି।