ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ଦାବିରେ ପାଞ୍ଚଦିନ ଧରି ପ୍ରେମିକ ଦୁଆରେ ମହିଳାଙ୍କ ଧାରଣା

ବ୍ରହ୍ମପୁର(କେନ୍ୟୁଜ୍): ସ୍ତ୍ରୀର ମାନ୍ୟତା ଦାବିରେ ପାଞ୍ଚ ଦିନ ପ୍ରେମିକର ଘର ଆଗରେ ମହିଳାଙ୍କ ଧାରଣା। ବ୍ରହ୍ମପୁର ଦେଶୀବେହେରା ସାହିରେ ଧାରଣାରେ ବସିଛନ୍ତି ମହିଳା ଜଣକ। ଦେଶୀବେହେରା ସାହିର ଦୀନେଶଙ୍କ ସହ ୨୦୨୦-୨୧ରେ ସଂପର୍କରେ ଆସିଥିଲେ ଆଙ୍କୁଲି ଅଞ୍ଚଳର କେ.ଦୀପିକା। ପରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ଦୀପିକା ବିବାହ ପାଇଁ କହିବାରୁ ଦୀନେଶ ରାଜି ହୋଇନଥିଲେ। ଥାନାରେ ଅଭିଯୋଗ ହେବା ପରେ କିଛି ଦିନ ଜେଲ ଯାଇଥିଲେ ଦୀନେଶ।
ଜେଲରୁ ବାହାରିବା ପରେ ଦୀନେଶ ଅନ୍ୟ ଏକ ସ୍ଥାନରେ ବିବାହ କରୁଥିବା ନେଇ ଖବର ପାଇବା ପରେ ଦୀପିକା ତାଙ୍କ ଘର ସମ୍ମୁଖରେ ଧାରଣାରେ ବସି ସ୍ତ୍ରୀର ହକ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ପାଖରେ ସୂଚନା ମିଳିବା ପରେ ଓ୍ଵାନ୍ ଷ୍ଟପ ସେଣ୍ଟରର ସଦସ୍ୟା ମାନେ ଦେଶୀ ବେହେରା ସାହିରେ ପହଞ୍ଚି ଦୀପିକାଙ୍କ ସହ ଆଲୋଚନା କରି ତାଙ୍କ ବୟାନ ରେକର୍ଡ଼ କରିଛନ୍ତି। ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀପିକାଙ୍କୁ ସମର୍ଥନ କରି ଧାରଣାସ୍ଥଳରେ ବସିଛନ୍ତି। ଦୀନେଶ ତାଙ୍କୁ ସ୍ତ୍ରୀର ମାନ୍ୟତା ଦେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଦୀପିକା ଓ ପ୍ରମିଳା ତ୍ରିପାଠୀ କହିଛନ୍ତି।