ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ, ଏଇଠୁ ରଥ କାଠକୁ ଛୁଇଁଦେଲେ ସବୁ କଷ୍ଟ ଦୂର ହୋଇଯିବ

ଭଞ୍ଜନଗର : ଏପଟେ ଘଞ୍ଚ ଜଙ୍ଗଲ, ସେପଟେ ରାଜପଥ । ମଝିରେ ଚାଲିଥିଲା ହୋମଯଜ୍ଞ । ସଂକୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତିମୟ ହୋଇ ଉଠୁଥିଲା, ସମୁଦାୟ ପରିବେଶ । ସାମିଲ୍ ହୋଇଥିଲେ, ପିଲାଠୁ ବୟସ୍କ । ପାଖ ଜଙ୍ଗଲ ଏବଂ ନିଜ ଗାଁ ମାଟିରୁ ସଂଗୃହିତ କାଠ ଯିବ ମହାପ୍ରଭୁଙ୍କ ଧାମକୁ । ସେଠି ରଥ ନିର୍ମାଣ ହେବ । ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ । ଏଇଠୁ ମହାପ୍ରଭୁଙ୍କ ରଥ କାଠକୁ ଛୁଇଁଦେଲେ ସବୁ ଦୁଃଖ ଦୂର ହୋଇଯିବ । ଏହା ଭାବି ରଥକାଠ ଯିବା ସମୟରେ ଏକାଠି ହୋଇଥିଲ ଶତାଧିକ ପୁରୁଷ ଓ ମହିଳା ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଘୋଗଡ ଜଙ୍ଗଲ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଗତ ୪ ବର୍ଷ ଧରି ଉତ୍ତର ଘୁମୁସର ବନଖଣ୍ଡରୁ ସଂଗୃହୀତ କାଠ ପୁରୀକୁ ଯାଉଛି । ଚଳିତବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଯାଇଛି, ୨୩ ଖଣ୍ଡ ରଥକାଠ ।ଟ୍ରଲର ସାହାଯ୍ୟରେ ପଠାଯାଇଥିବା ୨୩ଟି ରଥକାଠ ମଧ୍ୟରେ ରହିଛି, ୪୦ ଫୁଟ ଲମ୍ବର ୨୧ ଟି ଧଉରା ଏବଂ ଦୁଇଟି ଅସନ କାଠ । ଚଳିତ ବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଏହି ବନଖଣ୍ଡର ବାଇବାଲି ଜଙ୍ଗଲରୁ ଯିବ, ରଥକାଠ । ସମୁଦାୟ ୯୦ ଖଣ୍ଡ କାଠ ପଠାଇବା ପାଇଁ, ବନବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସଂକ୍ରାନ୍ତରେ, ପ୍ରତିକ୍ରିୟା ରଖିଛନ୍ତି, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ, ନିର୍ମାଣ ହେବ ତିନି ରଥ । ଏଥିପାଇଁ ଚତୁର୍ଥ ଥର ସକାଶେ, ପ୍ରଥମ ପର୍ଯ୍ୟାୟରେ ପୁରୀଧାମ କୁ ପଠାଗଲା ଚିହ୍ନଟ ରଥକାଠ । ତେବେ ରଥକାଠ ପାଇଁ ଘୁମୁସର ବନଖଣ୍ଡ, ଏବେ ନୂଆଁ ଠିକଣା ସୃଷ୍ଟି କରିଛି । ଯାହାକି ଆବଶ୍ୟକ ମୁତାବକ ରଥକାଠ ଯୋଗାଣ ହୋଇପାରୁଛି ପୁରୀ ଧାମକୁ । ଏନେଇ ଉଭୟ ଅଞ୍ଚଳବାସୀ ଏବଂ ବନ କର୍ମଚାରୀ ମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ।
ଆହୁରି ପଢନ୍ତୁ: ଧୁମଧାମରେ ଚାଲିଛି ପାଟଣାଗଡ଼ ମୁଦଘାଟ ଗ୍ରାମରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ