ଝାଡ଼ଖଣ୍ଡରେ କାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ, ଜାମସେଦପୁର ଆସନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଏଥିରେ ୨୦ଟି ଆସନରେ ନିର୍ବାଚନ ହେଉଛି । ଏସବୁ ଆସନରେ ମୋଟ୍ ୨୬୦ ଜଣ ପ୍ରାର୍ଥୀ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଜାମସେଦପୁର (ପୂର୍ବ) ଆସନରେ ତାଙ୍କୁ ଟକ୍କର ଦେଉଛନ୍ତି ପୂର୍ବତନ ବରିଷ୍ଠ ବିଜେପି ନେତା ସରୟୁ ରାୟ । ତାଙ୍କୁ ଟିକେଟ୍ ନମିଳିବାରୁ ସେ ଦଳ ଛାଡ଼ି ସ୍ୱାଧୀନ ଭାବେରେ ରଘୁବରଙ୍କ ମୁକାବିଲା କରୁଛନ୍ତି । ତେବେ ରଘୁବର ଗତ ପାଞ୍ଚଥର ନିର୍ବାଚନରେ ଏହି ଆସନରୁ ବିଜେପି ଟିକେଟ୍ରେ ଜିତି ଆସୁଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ଅସନ ନକ୍ସଲ ପ୍ରବଣ ଅଞ୍ଚଳରେ ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସବୁ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଟ୍ ୪୮ ଲକ୍ଷ ୨୫ ହଜାର ୩୮ ଭୋଟର ୨୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିରେ ପୁରୁଷ ଭୋଟର୍ ୨୪ ଲକ୍ଷ ୩୧ ହଜାର ୫୧୧ ଏବଂ ମହିଳା ଭୋଟର୍ ୨୩ ଲକ୍ଷ ୯୩ ହଜାର ୪୩୭ ଜଣ ଅଛନ୍ତି । ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୯୦ । ଏଥର ୧ ଲକ୍ଷ ୧୦ ହଜାର ୭୦ ଜଣ ହେଉଛନ୍ତି ନୂଆ ଭୋଟର୍ ।
ମୋଟ୍ ୮୧ଟି ବିଧାନସଭା ଆସନ ପାଇଁ ଝାଡ଼ଖଣ୍ଡରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଆସନ୍ତା ୧୨ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ ।