ଫୁଡ୍ ପଏଜନିଂ: ଡାଲି ଖାଇବା ପରେ ବିଗିଡ଼ିଲା ପରିବାରର ସ୍ୱାସ୍ଥ୍ୟାବସ୍ଥା, ୧୦ ବର୍ଷ ବାଳିକାର ମୃତ୍ୟୁ

ୟୁପିର ମୁଜଫରନଗରରେ ଏକ ପରିବାର ଫୁଡ୍ ପଏଜନିଂର ଶିକାର ହୋଇଛନ୍ତି । ଏହି ପରିବାର ରାତିରେ ଏକାଠି ବସି ଡିନର କରିଥିଲେ । ହେଲେ ଡିନର କରିବାର କିଛି ସମୟ ପରେ ହଠାତ୍ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଅସୁସ୍ଥ ହେବା ପରେ ତୁରନ୍ତ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରେ ଚିକିତ୍ସା ସମୟରେ ୧୦ ବର୍ଷ ବାଳିକାର ମୃତ୍ୟୁ ଘଟିଥିଲା ।
ଏବେ ହସ୍ପିଟାଲରେ ବାକି ୪ ଜଣଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ଘଟିଛି ମୁଜଫରନଗରର ରାମପୁରୀ ଅଞ୍ଚଳରେ । ଏଠାରେ ଫୁଡ୍ ପଏଜନିଂ ଯୋଗୁ ଜଣେ ବାଳିକାର ମୃତ୍ୟୁ ଘଟିଛି । ପରିବାରର ଅନ୍ୟ ୪ ଜଣ ସଦସ୍ୟ ମଧ୍ୟ ଅସୁସ୍ଥ ଅଛନ୍ତି । ଜିଲ୍ଲା ହସ୍ପିଟାଲର ଚିକିତ୍ସା ଅଧିକାରୀ ଡା. କାର୍ତ୍ତିକ ଅରୋରାଙ୍କ ଅନୁସାରେ, ମୃତା ବାଳିକାଙ୍କ ନାମ ନିକ୍କି । ଫୁଡ୍ ପଏଜନିଂ ଯୋଗୁ ବାଳିକାଙ୍କ ମୃତ୍ୟୁ ହୋଇଛି ।
ପୀଡ଼ିତ ପରିବାର କହିଛନ୍ତି ଯେ ସେମାନେ ବୁଧବାର ରାତିରେ ଘରେ ରୁଟି ଓ ଡାଲି ଖାଇଥିଲେ । ହେଲେ ଏହାକୁ ଖାଇବାର କିଛି ସମୟ ପରେ ଝାଡ଼ା, ବାନ୍ତି ଆରମ୍ଭ ହୋଇଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗୁଡୁ ଥିବାର ଦେଖି ସେମାନେ ହସ୍ପିଟାଲ ଯାଇଥିଲେ । କିନ୍ତୁ ସେଠାରେ ନିକ୍କି ଆଖି ବୁଜିଥିଲେ । ଡାକ୍ତରମାନେ ବାକି ଲୋକମାନଙ୍କୁ ଆଡ୍ମିଟ କରିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ବର୍ତ୍ତମାନ ସମସ୍ତେ ବିପଦମୁକ୍ତ ଥିବା ଜଣାପଡ଼ିଛି ।
ଉତ୍ତର ପ୍ରଦେଶର ମନ୍ତ୍ରୀ କପିଲ ଦେବ ଅଗ୍ରଓ୍ୱାଲ ଗୁରୁବାର ପୀଡ଼ିତମାନଙ୍କ ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୀଡ଼ିତମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ସହାୟତା ଉପଲବ୍ଧ କରାଯାଉଛି । ସର୍ବୋତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।