ମଣିପୁରର ପୂର୍ବତନ ସିଏମ୍‌ଙ୍କ ଘର ଉପରେ ରକେଟ୍‌ ଆକ୍ରମଣ; ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ, ୩ ଆହତ

ମଣିପୁରରେ ହିଂସା ଜାରି ରହିଛି । ସନ୍ଦିଗ୍ଧ ଉଗ୍ରବାଦୀମାନେ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ରକେଟ୍‌ ମାଡ଼ କରିଛନ୍ତି । ଏହି ଆକ୍ରମଣରେ ଘଟଣାସ୍ଥଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ଇମ୍ଫାଲରେ ଏହା ହେଉଛି ଦ୍ୱିତୀୟ ରକେଟ୍‌ ଆକ୍ରମଣ । ଏହାପୂର୍ବରୁ ନିମ୍ନ ଅଞ୍ଚଳରେ ଉପର ପର୍ବତରୁ ରକେଟ୍‌ ଆକ୍ରମଣ କରାଯାଇଥିଲା ।

ମଣିପୁର ରାଜଧାନୀ ଇମ୍ଫାଲରେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଦ୍ୱାରା ରକେଟ୍‌ ଆକ୍ରମଣ କରାଯାଇଛି । ଅପରାହ୍ନରେ ବିଷ୍ଣୁପୁର ଜିଲ୍ଲା ମୋଇରଙ୍ଗର ଏକ ଆବାସିକ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ରିପୋର୍ଟ ମୁତାବକ, ପୂର୍ବତନ ମୁଖ୍ୟମନ୍ତ୍ରୀ ମେରେମ୍ବମ୍ କୋଇରେଙ୍ଗ୍‌ଙ୍କ ବାସଭବନ ପରିସରରେ ହଠାତ୍‌ ଏକ ରକେଟ୍‌ ଆସି ପଡ଼ିଥିଲା ଏବଂ ଏହାପରେ ଜୋର୍‌ଦାର ବିସ୍ଫୋରଣ ଘଟିଥିଲା ।

ଏହା ହେଉଛି ଦ୍ୱିତୀୟ ରକେଟ୍‌ ଆକ୍ରମଣ । ଏହାପୂର୍ବରୁ ଇମ୍ଫାଲଠାରୁ ୪୫ କିଲୋମିଟର ଦୂର ଟ୍ରଙ୍ଗାଓବିର ନିମ୍ନ ଆବାସିକ ଅଞ୍ଚଳ ପାଖରେ ରକେଟ୍‌ ମାଡ଼ ହୋଇଥିଲା ।

ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, ଘଟଣା ଘଟିବା ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ପରିସରରେ କିଛି ଧାର୍ମିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିଲେ । ରକେଟ୍‌ ମାଡ଼ରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣରେ ଜଣେ ୧୩ ବର୍ଷ ବାଳିକାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି ।

You might also like