ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେରେ ଭୁଶୁଡ଼ିଲା ନିର୍ମାଣାଧୀନ ସୁଡ଼ଙ୍ଗ, ଜଣେ ଶ୍ରମିକ ମୃତ, ୩ ଆହତ
ରାଜସ୍ଥାନର କୋଟାରେ ଏକ ନିର୍ମାଣାଧୀନ ଟନେଲ ରବିବାର ସକାଳେ ଭୁଶୁଡ଼ି ପଡ଼ିଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେର ମୁକୁନ୍ଦରା ହିଲ୍ସ ଟାଇଗର ରଜର୍ଭ ନିକଟରେ ଏହି ଟନେଲ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଟନେଲର ଗୋଟିଏ ଭାଗ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଦବି ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କୋଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ରାମଗଞ୍ଜ ମଣ୍ଡିର ମୋଡ଼କ ଅଞ୍ଚଳରେ ନିର୍ମାଣାଧୀନ ଏହି ଟନେଲରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ବେଳେ ଶ୍ରମିକମାନେ ସୁଡ଼ଙ୍ଗରେ କାମ କରୁଥିଲେ । ସାଥୀ ଶ୍ରମିକମାନେ ସେମାନଙ୍କୁ ମାଟିତଳୁ ବାହାର କରିଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଖବର ପାଇ ପୋଲିସ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ପହଞ୍ଚି ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ । ପରେ ସେମାନଙ୍କୁ କୋଟା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ମୃତ ଶ୍ରମିକ ହେଉଛନ୍ତି, ଉତ୍ତରାଖଣ୍ଡ ଡେରାଡୁନର ନିବାସୀ ଶମଶେର୍ ସିଂ ।
ସୁଡ଼ଙ୍ଗ ଭିତରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ଭାଗ ମାଟି ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ରାଜପଥ ପ୍ରାଧିକରଣର ଏଇଏନ୍ ରାକେଶ ମିଣା କହିଛନ୍ତି, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେର ମୁକୁନ୍ଦରା ଟାଇଗର ରିଜର୍ଭ ନିକଟରେ ପାହାଡ଼ ତଳେ ୮ ଲେନର ଟନେଲ ନିର୍ମାଣ କରାଯାଉଛି । ୪.୯ କିମି ଲମ୍ବା ବିଶିଷ୍ଟ ଏହା ଗ୍ରୀନ୍ ଟନେଲ ହେବ । ଏହା ଉପର ଦେଇ ବନ୍ୟଜୀବ, ବିଶେଷ କରି ବାଘ ଯିବାଆସିବା କରିବେ ଏବଂ ତଳେ ଯାନବାହନ ଚଳାଚଳ କରିବ ।