କୁପଓ୍ଵାଡ଼ା: ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଯବାନ ଶହୀଦ, ସକାଳେ ଅପରେସନ ବେଳେ ହୋଇଥିଲେ ଆହତ

ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ରାତିସାରା ଚାଲିଥିବା ଗୁଳି ବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି । ବୁଧବାର ସକାଳେ ସେନାର ଯବାନ ଏନ୍କେ (ଜିଏନ୍ଆର୍) ଦିଲୱର ଖାନ ଶହୀଦ ହୋଇଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ।
ସେନା ଅଧିକାରୀ କହିଛନ୍ତି, କିଛି ଦିନ ପୂର୍ବରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସେନା ଓ ପୋଲିସକୁ ସୂଚନା ମିଳିଥିଲା । ଏହାପରେ କୁପୱାଡ଼ାର ଲୋଲାବ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷା ବାହିନୀ ମଙ୍ଗଳବାର ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଠାବ କରିଥିଲେ ଏବଂ ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।
ଅପରେସନ ବେଳେ ଯବାନ ଏନ୍କେ (ଜିଏନ୍ଆର୍) ଦିଲୱର ଖାନ ଆହତ ହୋଇଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ବର୍ତ୍ତମାନର ଖବର ମତାବକ, ସେ ଶହୀଦ ହୋଇଯାଇଛନ୍ତି । ଏ ସମ୍ପର୍କରେ ଶ୍ରୀନଗରସ୍ଥିତ ଚିନାର କର୍ପସ ‘ଏକ୍ସ’ରେ ପୋଷ୍ଟ କରିଛି ଯେ କୁପୱାଡ଼ାର କୋଭୁତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ବିଶେଷ ଇନପୁଟ୍ ମିଳିଥିଲା । ଏହାର ଆଧାରରେ ଜୁଲାଇ ୨୩ରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସେନା କହିଛି ।