ତୁର୍କୀର ରିସୋର୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୦ ଜଣଙ୍କ ମୃତ୍ୟୁ, ୩୨ ଆହତ

ତୁର୍କୀର ଏକ ରିସୋର୍ଟରେ ଭୟାବହ ଅଗ୍ନିକାଣ୍ଡ । ଉତ୍ତର-ପଶ୍ଚିମ ତୁର୍କୀର ଏକ ସ୍କି ରିସୋର୍ଟ ହୋଟେଲରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏଥିରେ ପୋଡ଼ି ହୋଇ ଅନ୍ୟ ୩୨ ଜଣ ଗୁରୁତର ହୋଇଛନ୍ତି । ଦମକଳ ବାହିନୀ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ୩୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତୁର୍କୀର ମନ୍ତ୍ରୀ ଅଲ୍ଲୀ ୟେରଲିକାୟା କହିଛନ୍ତି, ବୋଲୁ ପ୍ରଦେଶରେ ଥିବା ଏହି ରିସୋର୍ଟର ରେଷ୍ଟୁରାଣ୍ଟରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଲୋକମାନେ ଚିତ୍କାର କରିଥିଲେ । ଏହି ସମୟରେ ଦୁଇ ଜଣ ଭୟଭୀତ ହୋଇ ବିଲ୍ଡିଂରୁ ଡେଇଁ ପଡ଼ିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ଗଭର୍ଣ୍ଣର ଅବଦୁଲଅଜିଜ୍ ଆୟଦିନ୍ କହିଛନ୍ତି ।

ସେ କହିଛନ୍ତି ଯେ ହୋଟେଲରେ ୨୩୪ ଜଣ ଅତିଥି ଥିଲେ । ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ କରାଯାଉଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ୩୦ ଦମକଳ ଗାଡ଼ି ସହ ୨୮ ଆମ୍ବୁଲାନ୍ସ ପଠାଯାଇଥିଲା । ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ହୋଟେଲରେ ଫସି ରହିଥିବା ଲୋକଙ୍କୁ ବାହାରକୁ ବାହାର କରାଯାଉଛି । କିଛି ଲୋକଙ୍କୁ ପ୍ରଶାସନ ଉଦ୍ଧାର କରିସାରିଥିବା ବେଳେ ଆଉ କିଛି ଲୋକ ବିଲ୍ଡିଂ ଭିତରେ ଫସିରହିଛନ୍ତି ।

ଆହୁରି ପଢ଼ନ୍ତୁ: ଚେକ୍ ଗଣରାଜ୍ୟର ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୬ ଜଣଙ୍କ ମୃତ୍ୟୁ

You might also like