ଗତ ୪୮ ଘଣ୍ଟାରେ ୧୦ଟି ବିମାନକୁ ବୋମା ଧମକ ମିଳିବା ପରେ ଡିଜିସିଏ ଏକ ଉଚ୍ଚସ୍ତରୀୟ ମିଟିଂ ଡାକିଛି । ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାୟଡୁ ବୋମା ଧମକ ମିଳିବା ପରେ ଏକ ସୁରକ୍ଷା ବୈଠକ କରିଛନ୍ତି । ଏଥିରେ ଏୟାରଲାଇନ୍ସ ସହିତ ଜଡିତ ସୁରକ୍ଷା ଏଜେନ୍ସୀ ଉପସ୍ଥିତ ରହିଛନ୍ତି ।
ଯେଉଁ ସୋସିଆଲ ମିଡିଆ ଆକାଉଣ୍ଟରୁ ବିମାନରେ ବୋମା ଥିବା ଗୁଜବ ପ୍ରଚାରିତ ହେଉଛି, ସେଗୁଡିକୁ ବ୍ଲକ କରି ଯାଞ୍ଚ କରାଯାଉଛି ବୋଲି ସୁରକ୍ଷା ଏଜେନ୍ସୀ କହିଛି । ତେବେ ଏହିସବୁ ଆକାଉଣ୍ଟ ଭାରତ ସହିତ ଲଣ୍ଡନର ବୋଲି ଜଣାପଡିଛି ।
ମଙ୍ଗଳବାର ଦିନ ଜୟପୁରରୁ ଅଯୋଧ୍ୟା ଯାଉଥିବା ବିମାନରେ ବୋମା ଧମକ ମିଳିବା ପରେ ଅଯୋଧ୍ୟା ଜରୁରୀକାଳୀନ ଅବତରଣ କରିଥିଲା ବିମାନ । ଅଯୋଧ୍ୟା ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ IX 765 ରେ ବୋମା ଥିବା ସୂଚନା ମିଳିଥିଲା । ସୂଚନା ମିଳିବା ପରେ ତୁରନ୍ତ ବିମାନରେ ଚେକିଂ ହୋଇଥିଲା । ଚେକିଂ କରାଯାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ମଦୁରାଇରୁ ସିଙ୍ଗାପୁରକୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ହଠାତ୍ ଦୁଇଟି ଯୁଦ୍ଧ ବିମାନ ଘେରି ଯାଇଥିଲା । ଏହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । କିନ୍ତୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚା ଯାଇଥିଲା ।
ମଙ୍ଗଳବାର ଦିନ ସାତୋଟି ଏୟାର ଇଣ୍ଡିଆ ବିମାନରେ ବୋମା ଧମକ ଦିଆଯାଇଥିଲା । ମଦୁରାଇରୁ ସିଙ୍ଗାପୁର ଅଭିମୁଖେ AXB684 ବିମାନରେ ବୋମା ହେବାର ଏକ ବିମାନ ଇ-ମେଲ ପାଇଥିଲା । ଏହାପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ସିଙ୍ଗାପୁରର ବାୟୁସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏୟାର ଇଣ୍ଡିଆ ବିମାନ ପଛରେ ୨ ଯୁଦ୍ଧ ବିମାନ ଉଡାଯାଇଥିଲା ।
ସେହିଭଳି ସୋମବାର ଦିନ ଏୟାର ଇଣ୍ଡିଆର ଏକ ଇଣ୍ଟରନ୍ୟାସନାଲ ବିମାନ ଏଆଇ ୧୧୯ରେ ବୋମା ଧମକ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଥିଲା । ଏୟାର ଇଣ୍ଡିଆ ବିମାନ ନଂ ଏଆଇ-୧୧୯ ମୁମ୍ବାଇ ଏୟାରପୋର୍ଟରୁ ନ୍ୟୁୟର୍କ ଜେଏଫକେ ଏୟାରପୋର୍ଟ ଯାଉଥିଲା । ରାତି ୨ଟାରେ ବିମାନ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ବୋମା ଧମକ ମିଳିଥିଲା । ଏହାପରେ ବିମାନକୁ ଦିଲ୍ଲୀ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା ।
ମୁମ୍ବାଇରୁ ମସ୍କଟ ପର୍ଯ୍ୟନ୍ତ ଚାଲୁଥିବା ଇଣ୍ଡିଗୋ ବିମାନ 6E 1275 କୁ ମଧ୍ୟ ବୋମା ଧମକ ଦିଆଯାଇଥିଲା । ଧମକ ମିଳିବା ପରେ ପ୍ରୋଟୋକଲ୍ ଅନୁଯାୟୀ ବାଧ୍ୟତାମୂଳକ ଭାବେ ବିମାନ ଭିତରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ମୁମ୍ବାଇରୁ ଜେଡ୍ଡା ପର୍ଯ୍ୟନ୍ତ ଚାଲୁଥିବା ଇଣ୍ଡିଗୋ ବିମାନ 6E 56 କୁ ବି ସମାନ ବୋମା ଧମକ ଦିଆଯାଇଥିଲା ।