ଠାଣେରେ ମର୍ମନ୍ତୁଦ ଦୁର୍ଘଟଣା: ବିବାହ ଉତ୍ସବକୁ ଯାଉଥିବା ବେଳେ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ମହାରାଷ୍ଟ୍ରର ଠାଣେରେ ମୁମ୍ବାଇ-ନାସିକ୍ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ମିନି ବସ୍ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି । ଗତ ରବିବାର ସକାଳ ୯ଟାରେ କସାରା ଘାଟରେ ଏହି ଦୁର୍ଘଟଣା ଘଟିଥିଲା । ପାଖାପାଖି ୨୦ ଜଣ ଲୋକ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବସରେ ମୁମ୍ବାଇର କଫ ପରେଡରୁ ନାସିକର ସିନ୍ନର ଯାଉଥିଲେ ।

ଚିନ୍ତାମନୱାଡ଼ି ମୋଡରେ ବସ୍ ଚାଳକ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା କସାରା ଥାନା ଇନ୍ସପେକ୍ଟର ସୁରେଶ ଗାଭିତ କହିଛନ୍ତି ।

ଆହତମାନଙ୍କୁ ଶାହପୁର ଏବଂ ପାଖ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇର ସରକାରୀ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି ।

କିଛି ଦିନ ତଳେ ଉତ୍ତର ପ୍ରଦେଶର ମହୋବା ଜିଲ୍ଲାରେ ମଧ୍ୟ ଏଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା । ଏଠାରେ ବିବାହ ଉତ୍ସବ ମଝିରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ବରର ସାଙ୍ଗମାନଙ୍କ କାର୍ ରୋଡ୍ ଡିଭାଇଡର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରରେ ଥିବା ୨ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏଥିରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ମହାକୁମ୍ଭରେ ସ୍ନାନ ପୂର୍ବରୁ ଚାଲିଗଲା ସୈନିକ ପରିବାରର ଜୀବନ, କାର ଦୁର୍ଘଟଣାରେ ୪ ମୃତ