ଲସ୍ ଏଞ୍ଜେଲସ୍ ନିଆଁ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ପାଉଁଶ

କାଲିଫର୍ଣ୍ଣିଆରେ ଭୟାବହ ଅଗ୍ନିକାଣ୍ଡ । ଆମେରିକା ଇତିହାସରେ ସବୁଠୁ ବଡ଼ ବିପର୍ଯ୍ୟୟ । ୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି । ଆମେରିକାରେ ଆତଙ୍କ ସାଜିଛି ୱାଇଲ୍ଡ ଫାୟାର । ଦକ୍ଷିଣ କାଲିଫର୍ଣ୍ଣିଆରେ ଜଙ୍ଗଲ ନିଆଁ ଗୋଟିକ ପରେ ଗୋଟିଏ ସହରକୁ ବ୍ୟାପିବାରେ ଲାଗିଛି ।

ଲସ୍ ଏଞ୍ଜେଲସରେ ଉଗ୍ର ରୂପ ଧାରଣ କରିଛି ଜଙ୍ଗଲ ନିଆଁ । ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ି ୧୦ ହୋଇଥିବା ବେଳେ ୧୦ ହଜାର ଘର ପୋଡ଼ି ନଷ୍ଟ ହୋଇଛି । ନିଆଁରୁ ଉପରାଷ୍ଟ୍ରପତି କମଳା ହାରିସଙ୍କ ସମେତ ହଲିଉଡ୍ ମଧ୍ୟ ବାଦ ପଡ଼ିନାହିଁ । ହଲିଉଡ୍ ହିଲକୁ ନିଆଁ ବ୍ୟାପିଥିବା ବେଳେ ଆଖପାଖରେ ରହୁଥିବା ବହୁ ସେଲିବ୍ରିଟିଙ୍କ ଘର ମଧ୍ୟ ଜଳି ପାଉଁଶ ହୋଇଯାଇଛି । ପ୍ୟାରିସ୍ ହିଲଟନ, ଜେମି ଲି କର୍ଟିସ୍, ଟମ୍ ହ୍ୟାଙ୍କସ୍ ଓ ମ୍ୟାଣ୍ଡି ମୁରଙ୍କ ଭଳି ସେଲିବ୍ରିଟିଙ୍କ ଘର ପ୍ରତି ବିପଦ ରହିଛି ।

୨୯ ହଜାର ହେକ୍ଟରରୁ ଅଧିକ ଅଞ୍ଚଳ ନିଆଁ ଲାଗି ଛାରଖାର ହୋଇଛି । ୧ ଲକ୍ଷ ୩୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ଘର ଛାଡ଼ିସାରିଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବ୍ୟାପି ଚାଲିଥିବା ଜଙ୍ଗଲ ନିଆଁ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

ସମୁଦ୍ର ପଟୁ ପ୍ରାୟ ୧୧୨ କିଲୋମିଟର ବେଗରେ ପବନ ବୋହୁଥିବାରୁ ନିଆଁକୁ ଆୟତ୍ତ କରିବା ସ୍ଥାନୀୟ ଅଗ୍ନିଶମ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି । ନିଆଁ ଲିଭା କାର୍ଯ୍ୟରେ ୪୦୦ ଦମକଳ ବାହିନୀ ନିୟୋଜିତ ଅଛି । ନିଆଁକୁ ଆୟତ୍ତ କରିବାକୁ ୩୦ ହେଲିକପ୍ଟର ମାଧ୍ୟମରେ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ଏଭଳି ସ୍ଥିତିରେ ୱାଇଲ୍ଡ ଫାୟାର ଇମରଜେନ୍ସି ଘୋଷଣା କରିଛି କାଲିଫର୍ଣ୍ଣିଆ ।

ଲସ୍ ଏଞ୍ଜେଲସ୍ ଅଗ୍ନିଶମ ବିଭାଗ ମୁତାବକ, ପଲିସେଡ୍ସ ଜଙ୍ଗଲରେ ସବୁଠାରୁ ଭୟଙ୍କର ନିଆଁ ଲାଗିଛି । ଏହି ଜଙ୍ଗଲର ୬ ପ୍ରତିଶତ ଭାଗକୁ ଲିଭାଇ ଦିଆଯାଇଛି । ବାକି ଜଙ୍ଗଲର ନିଆଁକୁ ଏ ପର୍ଯ୍ୟନ୍ତ କାବୁ କରାଯାଇ ପାରିନାହିଁ । ନିଆଁରେ ଲସ୍ ଏଞ୍ଜେଲସରେ ୫୦ ବିଲିୟନ ଡଲାରରୁ ଅଧିକ କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି ।