ଅଗ୍ନିବୀରଙ୍କ ପାଇଁ ଖୁସି ଖବର! BSF ପରେ ଏବେ CISFରେ ମିଳିବ ୧୦ ପ୍ରତିଶତ ସଂରକ୍ଷଣ
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ପୂର୍ବତନ ଅଗ୍ନିବୀରମାନଙ୍କୁ CISFରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସପ୍ତାହ ପୂର୍ବରୁ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ମଧ୍ୟ ଏମିତି ହିଁ ପଦକ୍ଷେପ ନେଇଥିଲା।

ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକଙ୍କ ଲାଗି CISF ତରଫରୁ ଏକ ଖୁସି ଖବର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଔଦ୍ଦ୍ୟୋଗିକ ସୁରକ୍ଷା ବଳ (CISF)ରେ ଖାଲିଥିବା ପଦବୀରେ ପୂର୍ବତନ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛି। ମନ୍ତ୍ରଣାଳୟ ଏକ ସପ୍ତାହ ପୂର୍ବରୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ମଧ୍ୟ ସେମାନଙ୍କ ପାଇଁ ଏମିତି ହିଁ ପଦକ୍ଷେପ ନେଇଥିଲା।
ମନ୍ତ୍ରଣାଳୟ ସର୍ବାଧିକ ବୟସ ସୀମାରେ ଛାଡ୍ ଦେବାର ବି ଏକ ବିଜ୍ଞପ୍ତି ଜାରି କରିଛି। ଅଗ୍ନିବୀରଙ୍କ ପ୍ରଥମ କିମ୍ବା ପରବର୍ତ୍ତୀ ବ୍ୟାଚ୍ ଉପରେ ହିଁ ଏହା ନିର୍ଭର କରିବ। ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବତନ ଅଗ୍ନିବୀରମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ ଆରାମ ଦିଆଯିବ।
କହି ରଖୁଛୁ, ଏହାପୂର୍ବରୁ କେନ୍ଦ୍ର ସରକାର ବିଏସ୍ଏଫ୍ ରେ ଖାଲିଥିବା ପଦବୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ଘୋଷଣା କରିଥିଲେ। ଏଥିରେ ଅଗ୍ନିବୀରମାନଙ୍କ ବୟସ ସୀମାରେ ରିହାତି ଦିଆଯିବ। ମାର୍ଚ୍ଚ ୬ରେ ଗୃହ ମନ୍ତ୍ରଣାଳୟ ଏକ ଅଧିସୂଚନା ମାଧ୍ୟମରେ ଏହା ଘୋଷଣା କରିଥିଲା।
ଏଥିପାଇଁ ଗୃହ ମନ୍ତ୍ରଣାଳୟ ବର୍ଡ଼ର ସିକ୍ୟୁରିଟି ଫୋର୍ସ, ଜେନେରାଲ ଡ୍ୟୁଟି କ୍ୟାଡର ନିଯୁକ୍ତି ନିୟମ ୨୦୧୫ରେ ସଂଶୋଧନ କରିଥିଲା, ଯାହା ମାର୍ଚ୍ଚ ୯ ଗୁରୁବାରଠାରୁ ଲାଗୁ ହୋଇଥିଲା।
ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ମୁତାବକ, କନଷ୍ଟେବଳ ପଦ ପାଇଁ ପୂର୍ବତନ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ଆଶାୟୀମାନଙ୍କୁ ବୟସ ସୀମାରେ ୫ ବର୍ଷର ରିହାତି ମିଳିବ। ଯେତେବେଳେ କି, ପୂର୍ବତନ ଅଗ୍ନିବୀରଙ୍କ ପରବର୍ତ୍ତୀ ସମସ୍ତ ବ୍ୟାଚଗୁଡ଼ିକୁ ୩ ବର୍ଷର ରିହାତି ଦିଆଯିବ। ଏହା ସହିତ ଅନ୍ୟ ଏକ ସଂଶୋଧନ କରାଯାଇଥିଲା, ଯେଉଁଥିରେ ପୂର୍ବତନ ଅଗ୍ନିବୀରମାନଙ୍କୁ ଶାରୀରିକ ପରୀକ୍ଷଣରୁ ଛାଡ ଦିଆଯାଇଛି।