ହରିୟାଣାରେ ଘନ କୁହୁଡ଼ି…; ଜାତୀୟ ରାଜପଥରେ ଭୀଷଣ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲା ୧୦ ଗାଡ଼ି

ହରିୟାଣାର କରନାଲରେ ଜାତୀୟ ରାଜପଥରେ ଘଟିଛି ସିରିଜ୍ ଦୁର୍ଘଟଣା । ଏଠାରେ ଘନ କୁହୁଡ଼ି ଯୋଗୁ ଅନେକ ଗାଡ଼ି ପରସ୍ପର ମଧ୍ୟରେ ଧକ୍କା ହୋଇଛି । ହାଇୱେରେ ଭିଜିବିଲିଟି କମ୍ ହେତୁ ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ିଗୁଡ଼ିକୁ ରାସ୍ତା ଉପରୁ ହଟାଇଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।

ଏହି ଦୁର୍ଘଟଣା ଜାତୀୟ ରାଜପଥର ଝନଝାଡ଼ି ଫ୍ଲାଏଓଭରରେ ଘଟିଛି । ଘନ କୁହୁଡ଼ି ଯୋଗୁ ଭିଜିବିଲିଟି ବହୁତ କମ୍ ଥିଲା, ଯେଉଁ କାରଣରୁ ଗୋଟିକ ପରେ ଗୋଟିଏ ୮ରୁ ୧୦ଟି ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା । ଏହି ସମୟରେ ଗାଡ଼ି ଭିତରେ ଥିବା ଲୋକମାନେ ଚିତ୍କାର କରିଥିଲେ । ଦୁର୍ଘଟଣା ପରେ ଆଖାପାଖର ଲୋକେ ପହଞ୍ଚି ତୁରନ୍ତ ସହାୟତା ଆରମ୍ଭ କରିଥିଲେ । ଦୁର୍ଘଟଣା ଯୋଗୁ କିଛି ସମୟ ଯାଏ ରାସ୍ତା ଜାମ୍ ହୋଇଥିଲା ।

ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଅଧିକାରୀ ପହଞ୍ଚି କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ କ୍ରେନ୍ ସାହାଯ୍ୟରେ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ଆଜି ପ୍ରବଳ କୁହୁଡ଼ି ଥିଲା । ଏହି ସମୟରେ ଆଗରେ ଚାଲିଥିବା ଗାଡ଼ି ହଠାତ୍ ବ୍ରେକ୍ ମାରିଦେବାରୁ ପଛ ଗାଡ଼ିଗୁଡ଼ିକ ସମ୍ଭାଳିବାକୁ ମଉକା ପାଇ ନ ଥିଲେ । ପାଖାପାଖି ୧୦ଟି ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା । ଆଶ୍ୱସ୍ତିକର କଥା ଯେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସମସ୍ତେ ସୁରକ୍ଷିତ ଅଛନ୍ତି ।

ଉତ୍ତର ଭାରତର ଅନେକ ରାଜ୍ୟରେ ଏବେ ଘନ କୁହୁଡ଼ି ଲାଗି ରହିଛି, ଯେଉଁଥିପାଇଁ ରାସ୍ତା ଆଦୌ ଦେଖାଯାଉ ନାହିଁ । କରନାଲ ହାଇୱେରେ ମଧ୍ୟ ସମାନ ସ୍ଥିତି ଥିଲା । ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଦୁର୍ଘଟଣାରେ କେତେ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ି ନାହିଁ ।

You might also like