ପ୍ରଶ୍ନପତ୍ର ଲିକ୍‌ କଲେ ୧୦ ବର୍ଷ ଜେଲ୍‌, ୧ କୋଟି ଜରିମାନା…ଜାଣନ୍ତୁ ଆଣ୍ଟି ପେପର ଲିକ୍ ଆଇନ କ’ଣ ?

NEET ଏବଂ UGC-NET ପରୀକ୍ଷା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଶ୍ନପତ୍ର ଲିକ୍ ଏବଂ ଠକେଇକୁ ରୋକିବା ପାଇଁ ଜୁନ୍‌ ୨୧ରୁ ପବ୍ଲିକ୍ ପରୀକ୍ଷା ଆକ୍ଟ ୨୦୨୪ର ବ୍ୟବସ୍ଥା (ପ୍ରିଭେନସନ୍ ଅଫ୍ ଅନ୍‌ଫେୟାର ମିନ୍ସ ଆକ୍ଟ ୨୦୨୪) କାର୍ଯ୍ୟକାରୀ କରାଯାଇଛି । ଏହାକୁ ‘ଆଣ୍ଟି ପେପର ଲିକ୍ ଆଇନ’ ମଧ୍ୟ କୁହାଯାଉଛି । ଫେବୃୟାରୀରେ ଏହି କଠୋର ଆଇନ ପ୍ରଣୟନ କରାଯାଇଥିଲା ।

କେନ୍ଦ୍ର ସରକାର ଜୁନ୍‌ ୨୧ରେ ଏହି ଆକ୍ଟର ବିଜ୍ଞପ୍ତି ଜାରି କରିଛନ୍ତି । ଆସନ୍ତୁ ଜାଣିବା, ଆଣ୍ଟି ପେପର ଲିକ୍ ନିୟମ କ’ଣ? ଏହି ନିୟମ ଅନୁଯାୟୀ, ସାଧାରଣ ପରୀକ୍ଷାରେ ହେଉଥିବା ଠକେଇ ଉପରେ ଅଙ୍କୁଶ ଲଗାଇବା ପାଇଁ ସର୍ବନିମ୍ନ ୩ରୁ ୫ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଲିକ୍ ଗ୍ୟାଙ୍ଗରେ ଜଡିତ ଲୋକଙ୍କୁ ୫ରୁ ୧୦ ବର୍ଷ କାରାଦଣ୍ଡ ଏବଂ ଅତି କମ୍‌ରେ ୧ କୋଟି ଟଙ୍କା ଜରିମାନା ଲାଗୁ କରାଯିବ ।

ଯଦି କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ସଙ୍ଗଠିତ ଅପରାଧ କରନ୍ତି, ତା’ ହେଲେ ସେମାନଙ୍କୁ ଅତି କମ୍‌ରେ ୫ ବର୍ଷ ଜେଲ୍‌ ଦଣ୍ଡ ମିଳିବ, ଯାହାକୁ ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଢ଼ାଯାଇପାରେ । ଏଥିରେ ପରୀକ୍ଷା ଆୟୋଜନକାରୀ ସଂସ୍ଥା, ସେବା ପ୍ରଦାନକାରୀ କିମ୍ବା ଅନ୍ୟ ଯେକୌଣସି ଅନୁଷ୍ଠାନକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ନିୟମ କହୁଛି ଯେ ଜରିମାନା ୧ କୋଟି ଟଙ୍କାରୁ କମ୍‌ ହେବ ନାହିଁ । କୌଣସି ଅନୁଷ୍ଠାନ ସଙ୍ଗଠିତ ପ୍ରଶ୍ନପତ୍ର ଲିକ୍‌ ଅପରାଧରେ ଧରାପଡ଼ିଲେ, ଏହାର ସମ୍ପତ୍ତିକୁ ଜବତ କରି ନିଆଯିବ । ଏହାସହିତ ପରୀକ୍ଷା ମୂଲ୍ୟ ମଧ୍ୟ ସମ୍ପୃକ୍ତ ଅନୁଷ୍ଠାନରୁ ଭରଣା କରାଯିବ । ଯଦିଓ ଏହି ନିୟମ ପରୀକ୍ଷାରେ ଉପସ୍ଥିତ ପ୍ରାର୍ଥୀମାନଙ୍କୁ ଦଣ୍ଡବିଧାନରୁ ରକ୍ଷା କରିଥାଏ । କିନ୍ତୁ ଯଦି କୌଣସି ପ୍ରାର୍ଥୀ ପରୀକ୍ଷା ଦେବା ସମୟରେ ଅନ୍ୟାୟ ଉପାୟ ଆପଣାଇ ଧରାପଡ଼ନ୍ତି, ତା’ ହେଲେ ତାଙ୍କ ବିରୋଧରେ ପରୀକ୍ଷା ପରିଚାଳନା ସଂସ୍ଥାନର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

You might also like