ଗୌହାଟୀରେ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ୧୦୦ ଘର, ୨୦ରୁ ଅଧିକ ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଆସାମର ଦରଙ୍ଗ ଜିଲ୍ଲାରେ ଅଗ୍ନିକାଣ୍ଡ ଘଟିଥିଲା। ଏବେ ପୁଣି ଥରେ ଆସାମର ଗୌହାଟୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଗୌହାଟୀର ଏକ ବସ୍ତିରେ ଏକାଧିକ ସିଲିଣ୍ଡର ବିସ୍ଫୋରଣ ହୋଇ ଶତାଧିକ ଘର ଜଳିଯାଇଛି। ଶୁକ୍ରବାର ରାତିରେ ଫଟାସିଲ ଅମ୍ବାରି ଅଞ୍ଚଳରେ ଏହି ଅଘଟଣ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ୨୦ରୁ ଅଧିକ ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ଲାଗିଛି। ଅଧିକାରୀମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ମୃତକଙ୍କ ଖବର ଆସିନାହିଁ।

ବହୁ ଉଦ୍ୟମ ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ବସ୍ତିରେ ଅବସ୍ଥିତ ଘରଗୁଡ଼ିକର ଆସବାବପତ୍ର ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଘଟଣାରେ ସ୍ଥାନୀୟ ପୋଲିସର ସୂଚନାନୁସାରେ, ବର୍ତ୍ତମାନ ଏହି ଅଗ୍ନିକାଣ୍ଡରେ କୌଣସି ଆହତଙ୍କ ସମ୍ପର୍କରେ ସୂଚନା ନାହିଁ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବାରୁ ଏହାର କାରଣ ଅନୁସନ୍ଧାନ କରାଯାଉଛି।

ଏହି ଘଟଣାରେ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାପାଇଁ ‌ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସ୍ଥଳକୁ ପରିସ୍ଥିତି ଅନୁଧ୍ୟାନ ପାଇଁ ଦୁଇଜଣ ମନ୍ତ୍ରୀ ମଧ୍ୟ ଯାଇଛନ୍ତି। ଗୌହାଟୀ ପୁଲିସ କମିସନର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଯୋଗ୍ୟ କିଛି ଦିନ ପୂର୍ବରୁ ଇଟା ଭାଟ୍ଟିରେ ନିଆଁ ଲାଗିଯାଇଥିଲା ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଗୁରୁତର ଅବସ୍ଥାରେ ଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ଦେବାବେଳେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ବୋଲି କହିଥିଲା। ନିଆଁ ଲାଗିବା ପରେ ଇଟା ଭାଟ୍ଟିର ମାଲିକ ଏବଂ ସେଠାରେ କାର୍ଯ୍ୟ କରୁଥିବା ଲୋକମାନେ ପଳାଇ ଯାଇଥିଲେ।