ଘରୋଇ ଚାକିରିରେ ୧୦୦% ଆରକ୍ଷଣ ! C ଏବଂ D ବର୍ଗଙ୍କ ପାଇଁ ଏହି ସରକାର ଆଣୁଛନ୍ତି ନୂଆ ନିୟମ

ଘରୋଇ ଚାକିରିରେ ୧୦୦ ପ୍ରତିଶତ ଆରକ୍ଷଣ । କର୍ଣ୍ଣାଟକରେ ବହୁତ ଜଲ୍ଦି ଘରୋଇ କ୍ଷେତ୍ରର C ଏବଂ D ବର୍ଗର ଚାକିରିରେ ସ୍ଥାନୀୟ ଲୋକଙ୍କ ପାଇଁ ଏହି ଆରକ୍ଷଣ ବ୍ୟବସ୍ଥା କରାଯିବ । ଏହାର ଅର୍ଥ, କନ୍ନଡ଼ ଲୋକଙ୍କୁ କନ୍ନଡ଼ ଭୂମିରେ ହିଁ ଚାକିରି ମିଳିବ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଘରୋଇ କ୍ଷେତ୍ରରେ ଗ୍ରୁପ୍ C ଏବଂ Dର ପଦଗୁଡ଼ିକରେ କନ୍ନଡ଼ ଲୋକଙ୍କ ପାଇଁ ୧୦୦ ପ୍ରତିଶତ ଆରକ୍ଷଣ ଲାଗୁ କରିବା ସମ୍ବନ୍ଧୀୟ ବିଲ୍କୁ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛି । ସୋମବାର ହୋଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି ।
ସିଏମ୍ ସିଦ୍ଧରମୈୟା କହିଛନ୍ତି, ଆମେ କନ୍ନଡ଼ ସମର୍ଥକ ସରକାର । କନ୍ନଡ଼ ଲୋକଙ୍କ କଲ୍ୟାଣ ଉପରେ ଗୁୁରୁତ୍ୱ ଦେବା ଆମର ପ୍ରାଥମିକତା । ଆମ ସରକାର ଚାହୁଁଛନ୍ତି ଯେ କନ୍ନଡ଼ ଭୂମିରେ କନ୍ନଡ଼ ଲୋକଙ୍କୁ ଚାକିରିରୁ ବଞ୍ଚିତ ହେବାକୁ ନ ପଡ଼ୁ ଏବଂ ସେମାନଙ୍କୁ ନିଜ ମାତୃଭୂମିରେ ଆରାମଦାୟକ ଜୀବନ ଜିଇଁବାର ଅବସର ମିଳୁ ।
ସରକାର ମ୍ୟାନେଜମେଣ୍ଟ ବର୍ଗରେ ୫୦ ଏବଂ ନନ୍ ମ୍ୟାନେଜମେଣ୍ଟ ବର୍ଗରେ ୭୫ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି ବିଲ୍ର ନାମ Karnataka State Employment of Local Candidates in the Industries, Factories and Other Establishments Bill, 2024 । ଏହାକୁ ଗୁରୁବାର ବିଧାନସଭାରେ ଉପସ୍ଥାପନ କରାଯିବ ।
ବିଲ୍ରେ ‘ସ୍ଥାନୀୟ’ ଶବ୍ଦକୁ ବର୍ଣ୍ଣନା କରି କୁହାଯାଇଛି ଯେ ଯେଉଁମାନେ କର୍ଣ୍ଣାଟକରେ ଜନ୍ମ ହୋଇଛନ୍ତି, ୧୫ ବର୍ଷ ଧରି ରାଜ୍ୟରେ ବାସ କରିଛନ୍ତି ଏବଂ ସ୍ପଷ୍ଟ ରୂପେ କନ୍ନଡ଼ କହିବା, ପଢ଼ିବା ଏବଂ ଲେଖିବାରେ ସକ୍ଷମ, ସେମାନେ ସ୍ଥାନୀୟ ଲୋକ ରୂପେ ପରିଚିତ ହେବେ । ଏହି ବିଲ୍ରେ ଆହୁରି ଦର୍ଶାଯାଇଛି ଯେ ଯଦି ପ୍ରାର୍ଥୀମାନଙ୍କ ପାଖରେ କନ୍ନଡ଼ ଭାଷାର ମାଧ୍ୟମିକ ବିଦ୍ୟାଳୟର ପ୍ରମାଣପତ୍ର ନାହିଁ, ତା’ ହେଲେ ସେମାନଙ୍କୁ ନୋଡାଲ ଏଜେନ୍ସି ଦ୍ୱାରା ପରିଚାଳିତ କନ୍ନଡ଼ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ ।