ଆମେରିକାରେ ବାର୍ଡ ଫ୍ଲୁ… ଯୋଗାଣ କେନ୍ଦ୍ରରୁ ଚୋରି ହୋଇଗଲା ୧ ଲକ୍ଷ ଅଣ୍ଡା !

ଆମେରିକାରେ ଚୋର ନେଇଯାଇଛି ୧ ଲକ୍ଷ ଅଣ୍ଡା । ସାଉଥ୍-ସେଣ୍ଟ୍ରାଲ ପେନସିଲଭାନିଆରେ ଏକ ଡିଷ୍ଟ୍ରିବ୍ୟୁସନ କେନ୍ଦ୍ରରୁ ପାଖାପାଖି ୧ ଲକ୍ଷ ଅଣ୍ଡା ଚୋରି ହୋଇଛି । ଏହି ଅଣ୍ଡାଗୁଡ଼ିକର ମୂଲ୍ୟ ୪୦,୦୦୦ ଡଲାର୍ ଅର୍ଥାତ୍ ପାଖାପାଖି ୩୩ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଆମେରିକାର ଗ୍ରୀନକାଷ୍ଟଲର ଏଣ୍ଟ୍ରିମ୍ ଟାଉନଶିପରେ ଏକ କମ୍ପାନୀର ଟ୍ରେଲରରୁ ଅଣ୍ଡାଗୁଡ଼ିକୁ ଚୋରି କରାଯାଇଛି ।
ପେନସିଲଭାନିଆ ଷ୍ଟେଟ୍ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଏହାସହ ଲୋକମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛି ।
ଆମେରିକାରେ ଚଳିତ ବର୍ଷ ଅଣ୍ଡା ମୂଲ୍ୟ ୨୦% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ବର୍ତ୍ତମାନ ୧ ଡର୍ଜନ ଅଣ୍ଡାର ହାରାହାରି ମୂଲ୍ୟ ରହିଛି ୪.୧୦ ଡଲାର୍ (ପାଖାପାଖି ୩୪୦ ଟଙ୍କା), ଯାହା ୨୦୨୩ ଅଗଷ୍ଟ ତୁଳନାରେ ଦୁଇ ଗୁଣ ଅଧିକ ।
USDA (ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଏଗ୍ରୀକଲଚର) ଅନୁସାରେ, ବାର୍ଡ ଫ୍ଲୁ ଯୋଗୁ ଯୋଗାଣ କମିଯାଇଛି । ନିକଟରେ କାଲିଫର୍ଣ୍ଣିଆ ଏବଂ ନ୍ୟୁୟର୍କର ଫାର୍ମସରେ ଏହାର ପ୍ରକୋପ ଦେଖିବାକୁ ମିଳିଥିଲା । ବିଶେଷଜ୍ଞମାନଙ୍କ କହିବା ହେଲା, ଅଣ୍ଡାର ମୂଲ୍ୟ ବୃଦ୍ଧି କାରଣରୁ ଲୋକମାନେ ଆବଶ୍ୟକତାଠାରୁ ଅଧିକ ଅଣ୍ଡା କିଣୁଛନ୍ତି । ଏହାର ଡିମାଣ୍ଡ ଦିନକୁ ଦିନ ବଢ଼ୁଛି ।
୨୦୨୦ରେ କୋଭିଡ୍-୧୯ ସମୟରେ ଯେପରି ଟଏଲେଟ୍ ପେପରର ବିକ୍ରି ବଢ଼ିଯାଇଥିଲା, ସେହିଭଳି ସ୍ଥିତି ଏବେ ଉପୁଜିଛି । ବର୍ତ୍ତମାନ ପୋଲିସ ଏହି ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ଲାଗିପଡ଼ିଛି । କିନ୍ତୁ ଯଦି ବାର୍ଡ ଫ୍ଲୁର ପ୍ରକୋପ ନ କମେ, ତେବେ ଆଗାମୀ ଦିନରେ ଅଣ୍ଡା ମୂଲ୍ୟ ଆହୁରି ବଢ଼ିପାରେ । ଏହା ଦ୍ୱାରା ସାଧାରଣ ଲୋକ ଆହୁରି ସମସ୍ୟା ଭୋଗିପାରନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଆମେରିକାରୁ ୧୦୪ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ପହଞ୍ଚିଲା C-17 ବିମାନ, ଅମୃତସରରେ କଲା ଲ୍ୟାଣ୍ଡ