ଚେନ୍ନାଇ : ସିବିଆଇ ସିନ୍ଦୁକରୁ ସୁନା ଗାୟବ। ଜବତ ହୋଇଥିବା ସୁନାରୁ ୧୦୦ କେଜି ସୁନା ହୋଇଯାଇଛି ଗାୟବ। ତାମିଲନାଡୁରେ ୪୫ କୋଟି ଟଙ୍କାର ସୁନା ଅଳଙ୍କାରର ପତ୍ତା ମିଳୁନାହିଁ। ଏହି ସୁନାକୁ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଥିଲା। ଏହି ସୁନା ସିବିଆଇ ‘ସେଫ୍ କଷ୍ଟଡୀ’ରେ ରଖା ହୋଇଥିଲା, ଯାହା ଏବେ ଗାୟବ ହୋଇଯାଇଛି। ଏହି ସୁନା ଗାଏବ ପ୍ରସଙ୍ଗକୁ ନେଇ ବିବାଦ ଜୋର ସୋରରେ ଆରମ୍ଭ ହୋଇଯାଇଛି । ମାମଲା ଯାଇ କୋର୍ଟରେ ପହଁଚିଲାଣି । କୋର୍ଟ ମାମଲାରେ ସିବି-ସିଆଇଡିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାକୁ ନେଇ ସିବିଆଇ ନିଜ ବୟାନରେ ଜଣାଇଛି ଯେ, ଏହା ସେତେବେଳେ ଜଣାପଡିଥିଲା ଯେତେବେଳେ କୋଟି କୋଟି ଟଙ୍କାର ସୁନାକୁ ଓଜନ କରିବାକୁ ନିଆଗଲା । ଓଜନ କରିବା ପରେ ସୁନା କମ୍ ଥିବା ଜଣାପଡିଥିଲା । ପ୍ରାୟ ୪୦୦.୫ କେଜିର ସୁନା ଇଟା ଏବଂ ଗହଣା ଜବତ ହୋଇଥିଲା । ୨୦୧୨ରେ ସୁରାଣା କର୍ପୋରେସନ ଲିମିଟେଡରେ ଚଢାଉ କରାଯାଇ ଏହାକୁ ଜବତ କରାଯାଇଥିଲା । କିନ୍ତୁ ଏଥିରେ ଶହେରୁ ଅଧିକ କେଜିର ସୁନା ଗାଏବ ଥିବା ଜଣାପଡିଥିଲା । ପ୍ରାୟ ୧୦୩ କେଜି ସୁନା ଗାଏବ ଥିବା ସୂଚନା ମିଳିଥିଲା ।
ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମାମଲା କୋର୍ଟରେ ପହଁଚିବା ପରେ କୋର୍ଟ ସିବି-ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସ୍ଥାନୀୟ ସିବିଆଇ ଅଧିକାରୀ ତଦନ୍ତ ଉପରେ ଆପତ୍ତି ପ୍ରକାଶ କରିଥିଲେ ବି କୋର୍ଟ ଖାରଜ କରିଦେଇଛନ୍ତି । ତଦନ୍ତ ୬ ମାସ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଛି କୋର୍ଟ।